ନୂଆଦିଲ୍ଲୀ: ଆଜି ହେଉଛି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅର୍ଥାତ୍ ଗାନ୍ଧୀ ଜୟନ୍ତୀ। ମୋହନଦାସ କରମଚନ୍ଦ ଗାନ୍ଧୀ, ଯିଏ ସାରା ବିଶ୍ୱରେ ‘ବାପୁ’ ଭାବରେ ପରିଚିତ, ସେ ସତ୍ୟ, ଅହିଂସା ଏବଂ ସାଦା ଜୀବନଯାପନ ପାଇଁ ସବୁବେଳେ ଜଣାଶୁଣା ଥିଲେ। ତାଙ୍କର ଜୀବନ ଶୈଳୀ ଭଳି ତାଙ୍କର ଖାଦ୍ୟପେୟ ମଧ୍ୟ ଅତ୍ୟନ୍ତ ସରଳ ଏବଂ ସାତ୍ତ୍ୱିକ ଥିଲା। ସେ ସର୍ବଦା ଶୁଦ୍ଧ ଏବଂ ତେଲ-ମସଲା ବିହୀନ ଖାଦ୍ୟକୁ ପସନ୍ଦ କରୁଥିଲେ।
ବାପୁଙ୍କୁ ଖାଦ୍ୟରେ ମୁଖ୍ୟତଃ ସବୁଜ ପନିପରିବା ଅଧିକ ପସନ୍ଦ ଥିଲା। ତେବେ ଆସନ୍ତୁ ଜାଣିବା ତାଙ୍କର ପ୍ରିୟ ଖାଦ୍ୟ ଏବଂ ଆହାର ସମ୍ବନ୍ଧୀୟ କିଛି ରୋଚକ ତଥ୍ୟ..
ଲାଉ: ବାପୁ ପ୍ରାୟତଃ ନିଜ ଖାଦ୍ୟରେ ଲାଉକୁ ନିଶ୍ଚିତ ସାମିଲ କରୁଥିଲେ ଏବଂ ଏହାକୁ ସେ ସବୁବେଳେ ସିଝାଇକରି ଖାଉଥିଲେ।
ପେଡ଼ା ଓ ମିଠା: ଗୁଜୁରାଟର ପ୍ରସିଦ୍ଧ ମାଓ୍ୱା ପେଡ଼ା ବାପୁଙ୍କୁ ବହୁତ ପସନ୍ଦ ଥିଲା। ଯଦିଓ ସେ ଜଲେବୀ ଏବଂ ହାଲୁଆ ମଧ୍ୟ ପସନ୍ଦ କରୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ମିଠା ଖାଇବା ବହୁତ କମ କରିଦେଇଥିଲେ।
ଦହି ଏବଂ ଛାଛ: ତାଙ୍କ ଦୈନନ୍ଦିନ ଖାଦ୍ୟରେ ଦହି କିମ୍ବା ଛାଛର ବ୍ୟବହାର ନିଶ୍ଚିତ ରହୁଥିଲା। ଏହାବ୍ୟତୀତ ସେ ବାଦାମ କ୍ଷୀର, ସିଝା ବିଟ୍ ଏବଂ ବାଇଗଣ ମଧ୍ୟ ଖାଉଥିଲେ।
ଅଙ୍କୁରିତ ଖାଦ୍ୟ ଓ ଫଳ: ସେ ନିଜ ପୁସ୍ତକ ‘ଡାଇଟ୍ ଆଣ୍ଡ୍ ଡାଇଟ୍ ରିଫର୍ମ’ (Diet and Diet Reform) ରେ ନିଜ ଖାଦ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେ ସେ ଅଙ୍କୁରିତ ଗହମ, ବାଦାମ ପେଷ୍ଟ, ପତ୍ର ପନିପରିବା, ମହୁ ଏବଂ ଲେମ୍ବୁ ପାଣିକୁ ନିଜ ଆହାରର ମୁଖ୍ୟ ଅଂଶ କରିଥିଲେ। ଫଳରେ ସେ ଆମ୍ବକୁ ବହୁତ ପସନ୍ଦ କରୁଥିଲେ।
ବାପୁଙ୍କର ବିଶ୍ୱାସ ଥିଲା ଯେ ମଣିଷ କ’ଣ ଖାଇବ ଏବଂ କ’ଣ ନାହିଁ, ତାହା ସେ ନିଜେ ହିଁ ସ୍ଥିର କରିବା ଉଚିତ୍। ତାଙ୍କର ସେହି ଅମୂଲ୍ୟ ବାଣୀ “ବ୍ୟକ୍ତି ନିଜର ଚିନ୍ତାଧାରା ଦ୍ୱାରା ନିର୍ମିତ ଏକ ପ୍ରାଣୀ ଅଟେ, ସେ ଯାହା ଚିନ୍ତା କରେ, ସେୟା ହୋଇଯାଏ” ଆଜି ମଧ୍ୟ ସମାଜ ପାଇଁ ଏକ ବଡ଼ ପ୍ରେରଣା।