ନୂଆଦିଲ୍ଲୀ: ସାଂଖ୍ୟିକୀ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁସାରେ, ୨୦୨୬ ଅଗଷ୍ଟ ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି (CPI) ୪.୮୨ ପ୍ରତିଶତରେ ପହଞ୍ଚିଛି। ୨୦୨୪କୁ ଭିତ୍ତି ବର୍ଷ (Base Year) ଭାବେ ନେଇ ପ୍ରସ୍ତୁତ ଏହି ସୂଚକାଙ୍କ ଅନୁସାରେ, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦରଦାମ୍ ବୃଦ୍ଧିର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୫.୨୩ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା ୪.୩୧ ପ୍ରତିଶତ ରହିଛି।
ଖାଦ୍ୟ ମୁଦ୍ରାସ୍ଫୀତି: ଅଗଷ୍ଟ ମାସରେ ଖାଦ୍ୟ ଦ୍ରବ୍ୟର ମୂଲ୍ୟରେ ବୃଦ୍ଧି ମୁଖ୍ୟ ଚିନ୍ତାର କାରଣ ପାଲଟିଛି। ଖାଉଟି ଖାଦ୍ୟ ମୂଲ୍ୟ ସୂଚକାଙ୍କ (CFPI) ଅନୁସାରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୯୫ ପ୍ରତିଶତ ରହିଛି। ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ୬.୧୩ ପ୍ରତିଶତ ଏବଂ ସହରାଞ୍ଚଳରେ ୫.୬୪ ପ୍ରତିଶତ ରେକର୍ଡ କରାଯାଇଛି।
ବ୍ୟକ୍ତିଗତ ସେବା ଓ ରେଷ୍ଟୋରାଣ୍ଟ: ପରସୋନାଲ କେୟାର, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ ସର୍ବାଧିକ ୧୫.୧୭ ପ୍ରତିଶତ ମୁଦ୍ରାସ୍ଫୀତି ଦେଖାଯାଇଛି। ଏହା ପଛକୁ ରେଷ୍ଟୋରାଣ୍ଟ ଏବଂ ରହିବା ସେବା (Hotels & Accommodations) କ୍ଷେତ୍ରରେ ୮.୩୮ ପ୍ରତିଶତ ମୁଦ୍ରାସ୍ଫୀତି ରହିଛି।
ଅନ୍ୟାନ୍ୟ କ୍ଷେତ୍ର: ପାନ, ତମାଖୁ ଓ ନିଶାଦ୍ରବ୍ୟରେ ୪.୭୧ %, ପରିବହନ ସେବାରେ ୪.୬୦ %, ଶିକ୍ଷା ସେବାରେ ୩.୭୩ % ଏବଂ ପୋଷାକ ଓ ଜୋତା କ୍ଷେତ୍ରରେ ୩.୫୬ % ମୁଦ୍ରାସ୍ଫୀତି ରେକର୍ଡ ହୋଇଛି।
ନିମ୍ନ ମୁଦ୍ରାସ୍ଫୀତି: ସୂଚନା ଓ ସଂଚାର (୨.୦୧ %), କ୍ରୀଡ଼ା ଓ ସଂସ୍କୃତି (୧.୭୪ %) ଏବଂ ସ୍ୱାସ୍ଥ୍ୟ ସେବା (୧.୩୪ %) କ୍ଷେତ୍ରରେ ସବୁଠାରୁ କମ୍ ଦରବୃଦ୍ଧି ପରିଲକ୍ଷିତ ହୋଇଛି।