ରାଞ୍ଚି: ଝାରଖଣ୍ଡର ରାଜଧାନୀ ରାଞ୍ଚି ନିକଟସ୍ଥ ପିଥୋରିଆ (Pithoria) ଅଞ୍ଚଳରେ ରହିଛି ଏକ ଏପରି ଐତିହାସିକ ଏବଂ ରହସ୍ୟମୟ କିଲ୍ଲା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ କାହାଣୀ ପ୍ରଚଳିତ ରହିଛି। କୁହାଯାଏ ଯେ ବର୍ଷା ଦିନେ କିମ୍ବା ବଜ୍ରପାତ ସମୟରେ ଆଖପାଖର କୌଣସି ଘର ଉପରେ ନୁହେଁ, ବରଂ କେବଳ ଏହି ଶହେ ବଖରା ବିଶିଷ୍ଟ ଧ୍ୱଂସାବଶେଷ ମହଲ ଉପରେ ପ୍ରତିବର୍ଷ ବିଜୁଳି ପଡ଼ିଥାଏ।
ଇତିହାସ ଏବଂ ଅଭିଶାପର କାହାଣୀ: କୁହାଯାଏ ବ୍ରିଟିଶ ଶାସନ କାଳରେ ଛୋଟନାଗପୁର ଅଞ୍ଚଳରେ ଗୋରା ସେନାଙ୍କୁ ପ୍ରବେଶ କରିବାରେ ବହୁ ଅସୁବିଧା ହୋଇଥିଲା। ସେହି ସମୟରେ ପିଥୋରିଆର ରାଜା ଜଗତପାଲ ସିଂହ ଅଙ୍ଗରେଜ ଅଧିକାରୀ ଥମସ ୱିଲ୍କିନସନ୍ଙ୍କୁ ସାହାଯ୍ୟ କରିଥିଲେ ଏବଂ ଗୁପ୍ତ ତଥ୍ୟ ଯୋଗାଇଥିଲେ।
ଯେତେବେଳେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତୀକାରୀ ଠାକୁର ବିଶ୍ୱନାଥ ଶାହଦେବ୍ଙ୍କୁ ଅଙ୍ଗରେଜମାନେ ଫାଶୀ ଦେଇଥିଲେ, ସେତେବେଳେ ସେ ରାଜା ଜଗତପାଲ ସିଂହଙ୍କୁ ଅଭିଶାପ ଦେଇଥିଲେ ଯେ ଭବିଷ୍ୟତରେ ତାଙ୍କର ନାମ ନେବାକୁ କେହି ରହିବେ ନାହିଁ ଏବଂ ତାଙ୍କର ଏହି ବିଶାଳ ମହଲ ପ୍ରତିବର୍ଷ ବଜ୍ରପାତର ଶିକାର ହୋଇ ଶେଷରେ ସମ୍ପୂର୍ଣ୍ଣ ଖଣ୍ଡହର ହୋଇଯିବ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଯେ ଏହି ଅଭିଶାପ କାରଣରୁ ଆଜି ମଧ୍ୟ କେବଳ ଏହି ମହଲ ଉପରେ ନିୟମିତ ଭାବେ ବଜ୍ରପାତ ହୋଇଥାଏ।
ରାତିରେ ଆସେ ମିଠା ସୁବାସ ଏବଂ ପାୟଲ୍ ଶବ୍ଦ: କେବଳ ବଜ୍ରପାତ ନୁହେଁ, ବରଂ ଏହି ଖଣ୍ଡହର କିଲ୍ଲାକୁ ନେଇ ଆହୁରି ଅନେକ ଅଲୌକିକ ଘଟଣା ଚର୍ଚ୍ଚାରେ ଥାଏ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତିରେ ଏହି ଖଣ୍ଡହର ମଧ୍ୟରୁ ମାଲପୁଆ, ତରକାରୀ ଏବଂ ଖିରି ଭଳି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ହେବାର ସୁବାସ ଆସିଥାଏ। ଏହାଛଡ଼ା ରାତିରେ ‘ଭାରତ ମାତା କୀ ଜୟ’ ନାରା ଏବଂ ପାଉଁଜି ପିନ୍ଧି କେହି ନାଚୁଥିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥାଏ ବୋଲି ଲୋକେ ଦାବି କରନ୍ତି। ଆଜି ଏହି କିଲ୍ଲା ସମ୍ପୂର୍ଣ୍ଣ ରୂପେ ଭଗ୍ନଦଶାରେ ପହଞ୍ଚିଥିଲେ ମଧ୍ୟ ଏହାର ରହସ୍ୟ ସାଧାରଣରେ ସବୁବେଳେ ଆଶ୍ଚର୍ଯ୍ୟର ବିଷୟ ହୋଇ ରହିଛି।