ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଟ୍ୟୁସନ ଯାଇ ରବିବାର ଦିନ ନିଖୋଜ ହୋଇଯାଇଥିବା ତିନିଜଣ ନାବାଳକଙ୍କୁ ସୋମବାର ଦିନ ଜଗତସିଂହପୁର ଜିଲ୍ଲାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ସୀତାନାଥ ଏବଂ ଆଦର୍ଶ ବସ୍ତି ଅଞ୍ଚଳର ଏହି ତିନି ନାବାଳକ (ଦୁଇଜଣ ନବମ ଶ୍ରେଣୀ ଏବଂ ଜଣେ ସପ୍ତମ ଶ୍ରେଣୀର ଛାତ୍ର) ରବିବାର ଦିନ ଟ୍ୟୁସନ ପାଇଁ ଘରୁ ବାହାରିଥିଲେ କିନ୍ତୁ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ।
ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନର ସିସିଟିଭି (CCTV) ଫୁଟେଜ୍ ଏବଂ ଗୁଇନ୍ଦା ସୂଚନାକୁ ଆଧାର କରି ପୋଲିସ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରେ ନାବାଳକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି।
ପ୍ରାଥମିକ ତଦନ୍ତରୁ ସମସ୍ତ ପିଲା ସୁସ୍ଥ ଥିବା ଜଣାପଡିଛି। ତେବେ ସେମାନେ କିପରି ଏବଂ କାହା ସାହାଯ୍ୟରେ ଜଗତସିଂହପୁର ପହଞ୍ଚିଲେ, ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।