ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଧୀରେ ଧୀରେ ଅଧିକ ସଂଗଠିତ ଓ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ନିକଟରେ ସକ୍ରିୟ ରହିଛି। ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏହା ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା ଗଭୀର ଅବପାତର ରୂପ ନେବ ଏବଂ ୨୩ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ।
ଏହା ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ବି ସମୁଦ୍ରରେ ଅଧିକ ସମୟ ରହିଲେ ଅଳ୍ପ ସମୟ ପାଇଁ ବାତ୍ୟାରେ ପରିଣତ ହୋଇପାରେ।
ପବନର ବେଗ ଓ ସମ୍ଭାବ୍ୟ ପ୍ରଭାବ:
ପବନର ଗତି: ଏହି ପ୍ରଣାଳୀ ପ୍ରଭାବରେ ସମୁଦ୍ରରେ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିମି ଏବଂ ଝଟକା ପବନ ୭୫ କିମି ପର୍ଯ୍ୟନ୍ତ ହୋଇପାରେ।
ବାତ୍ୟାର ରୂପ ନେଲେ: ଯଦି ଏହା ସାଇକ୍ଲୋନିକ୍ ଷ୍ଟର୍ମ ହୁଏ, ତେବେ ପବନର ବେଗ ୬୦ ରୁ ୭୦ କିମି ଏବଂ ଝଟକା ୯୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ସ୍ଥଳଭାଗ ଛୁଇଁବା ପରେ: ସ୍ଥଳଭାଗରେ ପ୍ରବେଶ କରିବାର ୬ ରୁ ୧୨ ଘଣ୍ଟା ମଧ୍ୟରେ ପବନର ବେଗ କମିବ, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ଝଡ଼ପବନ ଜାରି ରହିବ।
ବର୍ଷା ଚେତାବନୀ: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟରେ ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ।
୨୨ ସେପ୍ଟେମ୍ବର: ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ କେତେକ ଜିଲ୍ଲା ପାଇଁ ହଳଦିଆ (Yellow) ଚେତାବନୀ ଜାରି କରାଯାଇଛି।
୨୩ ସେପ୍ଟେମ୍ବର: କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲା ପାଇଁ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି।
ସେପ୍ଟେମ୍ବର ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ସମ୍ଭାବ୍ୟ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।