ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଦିଲ୍ଲୀର ଜନ୍ତରମନ୍ତର ଠାରେ ଏକ ପ୍ରତିବାଦ ସଭା ଆୟୋଜନ ପାଇଁ ଡାକରା ଦିଆଯାଇଥିବା ବେଳେ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ଦିଲ୍ଲୀର ଟଲଷ୍ଟୟ ମାର୍ଗ ଏବଂ ଆଖପାଖ ରାସ୍ତାଗୁଡ଼ିକରେ ବାରିକେଡ୍ ଲଗାଯିବା ସହ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଆସୋସିଏସନ୍, ରାଜ୍ୟସଭା ସାଂସଦ ମନୋଜ ଝା ଏବଂ ବରିଷ୍ଠ ଆଇନଜ୍ଞ ପ୍ରଶାନ୍ତ ଭୂଷଣଙ୍କ ଆହ୍ୱାନକ୍ରମେ ଏହି ପ୍ରତିବାଦର ଆୟୋଜନ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାରିତା ଏବଂ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ସେମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଛନ୍ତି। ଏଥିରେ ଆପ୍ ନେତା ଓ କର୍ମୀଙ୍କ ସମେତ ଭାରତୀୟ ଯୁବ କଂଗ୍ରେସର ସଦସ୍ୟମାନେ ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି।
ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଏକତ୍ରୀକରଣ କିମ୍ବା ଶୋଭାଯାତ୍ରା ପାଇଁ କୌଣସି ଅନୁମତି ଦିଆଯାଇନାହିଁ। ପ୍ରାୟ ୩,୦୦୦ରୁ ୪,୦୦୦ ଲୋକ ଏକାଠି ହେବା ଆଶଙ୍କାରେ ଦିଲ୍ଲୀ ପୋଲିସ ସହିତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସଂସଦ ମାର୍ଗ, ଅଶୋକ ରୋଡ୍ ଏବଂ ଟଲଷ୍ଟୟ ମାର୍ଗରେ କଟକଣା ଜାରି କରାଯାଇଥିବା ବେଳେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇଛି। ପୋଲିସ ପକ୍ଷରୁ ଯାତ୍ରୀମାନଙ୍କୁ ସମ୍ପୃକ୍ତ ଅଞ୍ଚଳକୁ ଏଡ଼ାଇ ଅନ୍ୟ ରାସ୍ତାରେ ଯିବାକୁ ପରାମର୍ଶ ଦିଆଯାଇଛି।