ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଉ ଏକ ମହଙ୍ଗା ମାଡ଼। ଆସନ୍ତା ଅକ୍ଟୋବର ୪ ତାରିଖରୁ ସମଗ୍ର ରାଜ୍ୟରେ ବଢ଼ିବାକୁ ଯାଉଛି ଓମଫେଡ୍ କ୍ଷୀର ଦର। ଗ୍ରାହକମାନଙ୍କୁ ଏଣିକି ଟୋଣ୍ଡ୍, ପ୍ରିମିୟମ୍ ଏବଂ ଗୋଲ୍ଡ ପ୍ଲସ୍ କ୍ଷୀର କିଣିବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ।
ଟୋଣ୍ଡ୍ କ୍ଷୀର: ଏହାର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ୫୪ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୫୮ ଟଙ୍କା ହୋଇଛି। ସେହିପରି ୫୦୦ ମି.ଲି. ପ୍ୟାକେଟ୍ ପାଇଁ ୨ ଟଙ୍କା ଅଧିକ ଦେବାକୁ ପଡ଼ିବ।
ପ୍ରିମିୟମ୍ କ୍ଷୀର: ଏହାର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇ ୫୮ ଟଙ୍କାରୁ ୬୦ ଟଙ୍କାକୁ ବୃଦ୍ଧି ପାଇଛି (୫୦୦ ମି.ଲି. ପ୍ୟାକେଟ୍ ପିଛା ୧ ଟଙ୍କା ବଢ଼ିଛି)।
ଗୋଲ୍ଡ ପ୍ଲସ୍ କ୍ଷୀର: ଏହାର ଦର ମଧ୍ୟ ଲିଟର ପିଛା ୨ ଟଙ୍କା ବଢ଼ି ୬୪ ଟଙ୍କାରୁ ୬୬ ଟଙ୍କା ହୋଇଛି (୫୦୦ ମି.ଲି. ପ୍ୟାକେଟ୍ ପିଛା ୧ ଟଙ୍କା ଅଧିକ)।
ଗୋଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଉପାଦାନର ମୂଲ୍ୟ ବୃଦ୍ଧି ପାଇଥିବାରୁ, ଦୁଗ୍ଧ ଚାଷୀଙ୍କ ଆୟକୁ ପ୍ରୋତ୍ସାହିତ କରିବା ପାଇଁ ଗତ ସେପ୍ଟେମ୍ବର ୧୧ ତାରିଖରୁ ଓମଫେଡ୍ ପକ୍ଷରୁ ଚାଷୀଙ୍କ ଠାରୁ କ୍ଷୀର କିଣା ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଏହି କାରଣରୁ ବଜାରରେ କ୍ଷୀରର ଖୁଚୁରା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି।