ଭୁବନେଶ୍ୱର: ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ସମ୍ବିଳିତ ପୋଲିସ ସେବା ପରୀକ୍ଷା (CPSE)-୨୦୨୪ କିମ୍ବା ସବ୍-ଇନ୍ସପେକ୍ଟର ସ୍ତରୀୟ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ପରୀକ୍ଷାର୍ଥୀଙ୍କ ନିଜର ତଥ୍ୟ ଅପ୍ଡେଟ୍ ଏବଂ ଯାଞ୍ଚ କରିବାର ଅନ୍ତିମ ତାରିଖକୁ ଅଧିକ ୧୦ ଦିନ ଅର୍ଥାତ୍ ନଭେମ୍ବର ୮, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଗୁରୁବାର କମିଶନ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ବୟସ କୋହଳ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ସମେତ ସମସ୍ତ ଆବେଦନକାରୀ ନଭେମ୍ବର ୮ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆୟୋଗର ଅଫିସିଆଲ୍ ୱେବସାଇଟ୍ ousssc.odisha.gov.in କୁ ଯାଇ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ।
ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଏହା ପ୍ରାର୍ଥୀମାନଙ୍କ ପାଇଁ ଶେଷ ସୁଯୋଗ। ଏହାପରେ କୌଣସି ପରିସ୍ଥିତିରେ ବି ସମୟସୀମା ବୃଦ୍ଧି କରାଯିବ ନାହିଁ। ଏହି ବୃଦ୍ଧିତ ସମୟ ମଧ୍ୟରେ ଅପ୍ଡେଟ୍ କିମ୍ବା ଯାଞ୍ଚ କରାଯାଇଥିବା ତଥ୍ୟକୁ ପରୀକ୍ଷାର ଆଗାମୀ ସମସ୍ତ ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯିବ।
ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାରେ ବିଫଳ ହେଉଥିବା ପ୍ରାର୍ଥୀମାନେ ଭବିଷ୍ୟତର କୌଣସି ବି ଅସୁବିଧା ପାଇଁ ନିଜେ ଦାୟୀ ରହିବେ। ତେଣୁ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଳମ୍ବ ନକରି ତୁରନ୍ତ ୱେବସାଇଟ୍ରେ ଲଗ୍ଇନ୍ କରି ନିଜର ଆବଶ୍ୟକୀୟ ତଥ୍ୟ ସଂଶୋଧନ ଓ ନିଶ୍ଚିତ କରିବାକୁ OUSSSC ପକ୍ଷରୁ ଅନୁରୋଧ କରାଯାଇଛି।