କୋରାପୁଟ: ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଓ ଜନଜୀବନ ବିପର୍ଯ୍ୟସ୍ତ ହୋଇଥିବା ବେଳେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଆଗେଇ ଆସିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲକା। ଜୟପୁର ପରୀକ୍ଷା କେନ୍ଦ୍ରରେ OCS ମୁଖ୍ୟ ଲିଖିତ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ବୁଧବାର ଏକ ଚିଠି ଲେଖି ଅନୁରୋଧ କରିଛନ୍ତି।
ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ୍ ସରବରାହ, ରାସ୍ତାଘାଟ ଯୋଗାଯୋଗ ଏବଂ ସାଧାରଣ ପରିବହନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଅକ୍ଟୋବର ୩୧ ରୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ପାଇଁ କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ପରୀକ୍ଷାର୍ଥୀମାନେ ଜୟପୁର ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ଭାବେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ।
ସୁଦୂର ବାହାରେ ପଢ଼ୁଥିବା କିମ୍ବା ଚାକିରି କରୁଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ହୀରାଖଣ୍ଡ ଏକ୍ସପ୍ରେସ୍ ସହ ଅନ୍ୟାନ୍ୟ ଟ୍ରେନ୍ ବାତିଲ ହେବା କାରଣରୁ ଯାତାୟାତ ସମସ୍ୟା ଆହୁରି ଜଟିଳ ହୋଇଛି। ଏହାସହ ଜରୁରୀକାଳୀନ ସେବାରେ ନିୟୋଜିତ କେତେକ ପରୀକ୍ଷାର୍ଥୀଙ୍କୁ ବାତ୍ୟା ଡ୍ୟୁଟି ଯୋଗୁଁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଛୁଟି ମିଳିନଥିବାରୁ ସେମାନେ ପରୀକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି।
ପରୀକ୍ଷା ପୂର୍ବରୁ ଶେଷ କିଛି ଦିନ ପରୀକ୍ଷାର୍ଥୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବିଦ୍ୟୁତ୍ ଓ ଯୋଗାଯୋଗ ବିଚ୍ଛିନ୍ନତା କାରଣରୁ ଏହି ଅଞ୍ଚଳର ପରୀକ୍ଷାର୍ଥୀମାନେ ଅନ୍ୟମାନଙ୍କ ତୁଳନାରେ ମାନସିକ ଓ ପ୍ରତିଯୋଗିତାମୂଳକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଜୟପୁର କେନ୍ଦ୍ରର ପରୀକ୍ଷା ଘୁଞ୍ଚାଇବାକୁ କିମ୍ବା ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ପରୀକ୍ଷା ସୂଚୀକୁ ନୂତନ ଭାବେ ସଂଶୋଧନ କରିବାକୁ ସାଂସଦ OPSC ଅଧ୍ୟକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି।