ମୁମ୍ବାଇ: ବଲିଉଡ୍ ‘ଭାଇଜାନ୍’ ତଥା ସୁପରଷ୍ଟାର ସଲମାନ ଖାନ୍ ନିଜର ଏକ ନୂତନ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଛନ୍ତି। ଏହି ଚ୍ୟାନେଲ୍ର ନାମ ‘ବିଇଂ ଦ ସଲମାନ ଖାନ୍’ ରଖାଯାଇଛି, ଯାହା ମାଧ୍ୟମରେ ପ୍ରଶଂସକମାନେ ତାଙ୍କର ଅଭିନୟ ଶୈଳୀ, ବଡି ଲାଙ୍ଗୁଏଜ୍ ଏବଂ ପରଦା ପଛର ବିଭିନ୍ନ ଅନ୍ଦାଜକୁ ନିକଟରୁ ଦେଖିବାକୁ ପାଇବେ।
ସଲମାନ ଖାନ୍ ନିଜର ଇନଷ୍ଟାଗ୍ରାମ ଷ୍ଟୋରିରେ ଏହି ଚ୍ୟାନେଲ୍ର ଲିଙ୍କ୍ ସେୟାର କରି ପ୍ରଶଂସକମାନଙ୍କୁ ସ୍ୱାଗତ କରିଛନ୍ତି। ଏହି ଚ୍ୟାନେଲ୍ର ଫର୍ମାଟ୍ ସମ୍ପୂର୍ଣ୍ଣ ଭିନ୍ନ ରହିଛି, ଯେଉଁଥିରେ ସଲମାନ ନିଜେ ଦୁଇଟି ଭୂମିକାରେ ଅର୍ଥାତ୍ ଜଣେ ଅଭିନୟ ପ୍ରଶିକ୍ଷକ ଏବଂ ଅନ୍ୟପଟେ କଳା ଶିଖୁଥିବା ଜଣେ ଛାତ୍ର ଭାବରେ ନଜର ଆସିବେ। ପ୍ରଶଂସକମାନଙ୍କୁ ଉଦ୍ଦେଶ୍ୟ କରି ସେ ଲେଖିଛନ୍ତି, “ଶୁରୁ ସେ ଶୁରୁ କର୍ତ୍ତେ ହୈଁ… ଏ ସେ ଜେଡ୍ ତକ୍ ସବ୍ ୟହାଁ ମିଲେଗା।”
ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, କାର୍ତ୍ତିକ ଆର୍ଯ୍ୟନ ଏବଂ ଫରାହ ଖାନଙ୍କ ପରି ଅନ୍ୟାନ୍ୟ ବଲିଉଡ୍ ସେଲିବ୍ରିଟିଙ୍କ ପରି ସଲମାନ ମଧ୍ୟ ବର୍ତ୍ତମାନ ୟୁଟ୍ୟୁବ୍ ଜରିଆରେ ପ୍ରଶଂସକଙ୍କ ସହ ସିଧାସଳଖ ଜଡ଼ିତ ହେବାକୁ ଯାଉଛନ୍ତି।
କାର୍ଯ୍ୟକ୍ଷେତ୍ର କଥା କହିବାକୁ ଗଲେ, ସଲମାନ ବର୍ତ୍ତମାନ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍ ୨୦’ କୁ ହୋଷ୍ଟ କରୁଛନ୍ତି। ଏହାବ୍ୟତୀତ ସେ ଅପୂର୍ବ ଲଖିଆଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁଥିବା ଆଗାମୀ ଫିଲ୍ମ ‘ମାତୃଭୂମି’ରେ ଚିତ୍ରାଙ୍ଗଦା ସିଂହଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ଏହି ଫିଲ୍ମର ମୁକ୍ତିଲାଭ ତାରିଖ ଏଯାଏଁ ଘୋଷଣା କରାଯାଇ ନାହିଁ।