ଭବାନୀପାଟଣା: ଓଡ଼ିଶାର କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାର ପ୍ରସିଦ୍ଧ ତଥା ଆକର୍ଷଣୀୟ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସୋମବାର ଦିନ ଅତ୍ୟନ୍ତ ଭକ୍ତିମୟ ପରିବେଶ ଏବଂ ପ୍ରଚଣ୍ଡ ଜନସମାବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଆଦି ପଡ଼ୋଶୀ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗଦେଇଥିଲେ।
ମହାଅଷ୍ଟମୀ ରାତିରୁ ମା’ଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଗତକାଲି ରାତିରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଭବାନୀପାଟଣା ଉପକଣ୍ଠସ୍ଥିତ ଜେନାଖାଳକୁ ଅଣାଯାଇଥିଲା। ସୋମବାର ପ୍ରାତଃକାଳରେ ଜେନାଖାଳରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଓ ନୀତିକାନ୍ତି କରାଯିବା ପରେ ସକାଳ ୫:୦୦ ଟାରୁ ମା’ଙ୍କ ସୁସଜ୍ଜିତ ଛତର ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପାରମ୍ପରିକ ବାଦ୍ୟ, ଘଣ୍ଟ, ଶଙ୍ଖ ଏବଂ ନାଚଗୀତ ମଧ୍ୟରେ ଏହି ଶୋଭାଯାତ୍ରା ସକାଳ ୭:୪୪ ମିନିଟ୍ ସମୟରେ ମା’ଙ୍କ ମନ୍ଦିରରେ ପହଞ୍ଚିଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଭକ୍ତ ଧାଡ଼ିରେ ରହି ମା’ଙ୍କ ଦର୍ଶନ କରିଥିଲେ।
ବିଶ୍ୱପ୍ରସିଦ୍ଧ ଏହି ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। କଲେଜ ପଡ଼ିଆ, ଡାଏଟ୍ ପଡ଼ିଆ, ଦୟାନିଧି ଚୌକ, ହିଲ୍ ଟାଉନ୍, ପୋଲିସ ସ୍କୁଲ ଏବଂ ରେଲୱେ ଚୌକ ଆଦି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଥିବାବେଳେ ସହରରେ ଭିଡ଼ ନିୟନ୍ତ୍ରଣ ପାଇଁ ଗାଡ଼ିଗୁଡ଼ିକୁ ବାଇପାସ୍ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।