ନୂଆଦିଲ୍ଲୀ: ଗଣତନ୍ତ୍ରକୁ ବଞ୍ଚାଇବା, ଭୋଟ୍ ଚୋରି ରୋକିବା ଏବଂ ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଆସନ୍ତା ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମଇଦାନଠାରେ ଏକ ବିଶାଳ ମାର୍ଚ୍ଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଏକ ଭିଡିଓ ବାର୍ତ୍ତା ଜାରି କରି ଆହ୍ୱାନ ଦେଇଛନ୍ତି।
ସାମାଜିକ ଗଣମାଧ୍ୟମ ‘X’ ରେ ହିନ୍ଦୀରେ ଜାରି କରିଥିବା ଭିଡିଓ ବାର୍ତ୍ତାରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ମାର୍ଚ୍ଚ କୌଣସି ଗୋଟିଏ ରାଜନୈତିକ ଦଳ ପାଇଁ ନୁହେଁ, ବରଂ ଏହା ଭାରତର ଆତ୍ମା ପାଇଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା ସମସ୍ତ ନାଗରିକ, ଛାତ୍ର ଏବଂ ଯୁବବର୍ଗଙ୍କୁ ସେ ଏହି ପ୍ରତିବାଦରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।
ପୋଲିସ କାର୍ଯ୍ୟାନୁଷ୍ଠାନ କିମ୍ବା ଲାଠିଚାର୍ଜ ଆଶଙ୍କାକୁ ଏଡ଼ାଇ ଦେଇ ରାହୁଲ କହିଛନ୍ତି, “ପୋଲିସ କିମ୍ବା ବିଜେପିର କୌଣସି ପଦକ୍ଷେପକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଆମେ ସମସ୍ତେ ଏକାଠି ଚାଲିବା ଏବଂ ସମ୍ବିଧାନ ରକ୍ଷା କରିବା।” ସେହିପରି ଦଳଗତ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତ ଛାତ୍ର ସଂଗଠନଗୁଡ଼ିକୁ ମଧ୍ୟ ଏହି ଆନ୍ଦୋଳନରେ ଯୋଗଦେବାକୁ ସେ ଆହ୍ୱାନ କରିଛନ୍ତି।
ଅନ୍ୟପଟେ, ନଭେମ୍ବର ୧ ରାମଲୀଳା ମଇଦାନ ଶକ୍ତିପ୍ରଦର୍ଶନ ପୂର୍ବରୁ ଶୁକ୍ରବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବାସଭବନରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏକ ‘ମକ୍ ପାର୍ଲାମେଣ୍ଟ’ର ଆୟୋଜନ କରାଯାଉଛି। ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତୀକାତ୍ମକ ଭାବେ ‘ସାଧାରଣ ମହାଭିଯୋଗ’ ଆଣିବାକୁ ବିରୋଧୀ ଦଳଗୁଡ଼ିକ ଯୋଜନା କରିଛନ୍ତି।