ଶ୍ରୀନଗର/ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସୁରକ୍ଷା ସ୍ଥିତିରେ ବ୍ୟାପକ ସୁଧାର ଆସିବା ସହ ଆତଙ୍କବାଦୀ ସଙ୍ଗଠନଗୁଡ଼ିକରେ ସ୍ଥାନୀୟ ଯୁବକମାନେ ସାମିଲ ହେବା ସଂଖ୍ୟାରେ ଏକ ବଡ଼ ଧରଣର ହ୍ରାସ ଘଟିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ (MoD) ର ସମ୍ପ୍ରତି ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ୧୪୬ ଜଣ କାଶ୍ମୀରୀ ଯୁବକ ଆତଙ୍କବାଦୀ ଦଳରେ ସାମିଲ ହୋଇଥିବା ବେଳେ, ୨୦୨୫ ମସିହାରେ ଏହି ସଂଖ୍ୟା ମାତ୍ର ୧ କୁ ଖସି ଆସିଛି।
କେଉଁବର୍ଷ କେତେ ନିଯୁକ୍ତି:
୨୦୨୧: ୧୪୬
୨୦୨୨: ୧୨୧
୨୦୨୩: ୧୯
୨୦୨୪: ୪
୨୦୨୫: ୧
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଧାରା ୩୭୦ ହଟିବା ପରେ ସରକାରଙ୍କ ବିକାଶମୂଳକ ଯୋଜନା ଓ କଲ୍ୟାଣକାରୀ ନୀତି ଯୋଗୁଁ ଯୁବପିଢ଼ି ହିଂସାର ପଥ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଏହା ସହ କାଶ୍ମୀର ଆତଙ୍କବାଦ ଏକ ସ୍ଥାନୀୟ ସମସ୍ୟା ବୋଲି ପାକିସ୍ତାନ କରୁଥିବା ଦାବିର ଅସଲ ମୁଖା ଖୋଲିଯାଇଛି।
ଅନୁପ୍ରବେଶ ଓ ଅନ୍ୟାନ୍ୟ ସୁରକ୍ଷା ସ୍ଥିତି: ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ଯଥେଷ୍ଟ କମିଛି। ୨୦୨୫ ମସିହାରେ ସୁରକ୍ଷା ବାହିନୀ ୬ଟି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ୧୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।
ତେବେ LoC ରେ କଟକଣା କଡ଼ାଯୋଗୁଁ ସୀମାପାରି ଆତଙ୍କବାଦୀମାନେ ଜାମ୍ମୁ ଆଞ୍ଚଳିକ ଅନ୍ତର୍ଜାତୀୟ ସୀମା ଏବଂ ନିଶାଦ୍ରବ୍ୟ କାରବାର ମାଧ୍ୟମରେ ଅନୁପ୍ରବେଶ ପାଇଁ ଚେଷ୍ଟା କରୁଛନ୍ତି। ୨୦୨୫ରେ ନିପାତ ହୋଇଥିବା ୧୯ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୮ ଜଣ ପାକିସ୍ତାନୀ ନାଗରିକ ଥିଲେ, ଯାହା ପାକିସ୍ତାନର ପ୍ରତ୍ୟକ୍ଷ ସଂପୃକ୍ତିକୁ ପ୍ରମାଣିତ କରୁଛି।
ଏହା ବ୍ୟତୀତ, ୨୦୨୫ ମସିହାରେ କାଶ୍ମୀରରେ ଗୋଟିଏ ହେଲେ ବି ପଥରମାଡ଼ ଘଟଣା ରେକର୍ଡ କରାଯାଇନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ସତ୍ତ୍ୱେ ଜାମ୍ମୁ-କାଶ୍ମୀରକୁ ପ୍ରାୟ ୨.୩ କୋଟି ପର୍ଯ୍ୟଟକ ଭ୍ରମଣ କରିଛନ୍ତି।