ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ କାର୍ ଉପରକୁ ମୁମ୍ବାଇର ଜୁହୁ ଅଞ୍ଚଳରେ ହୋଇଥିବା ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଘଟଣାର କିଛି ଘଣ୍ଟା ମଧ୍ୟରେ ତିନିଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟା ଷ୍ଟେସନରୁ ଗିରଫ କରାଯାଇଛି। ଏହି ସମ୍ପୂର୍ଣ୍ଣ ଆକ୍ରମଣ ପଛର ଯୋଜନା ଏବଂ ଟାଇମ୍ଲାଇନ୍ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।
ପ୍ରାପ୍ତ ତଥ୍ୟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ୨ ସପ୍ତାହ ପୂର୍ବରୁ ଅଭିଯୁକ୍ତମାନେ ମୁମ୍ବାଇରେ ପହଞ୍ଚିଥିଲେ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱାରା ନିୟୋଜିତ ଏହି ଦୁର୍ବୃତ୍ତମାନେ ଅଭିନେତାଙ୍କ ଘର, ଜିମ୍ ଏବଂ ସୋସିଆଲ ମିଡିଆ ଓ ପାପାରାଜି ଭିଡିଓ ମାଧ୍ୟମରେ ତାଙ୍କର ପ୍ରତିଦିନର ଗତିବିଧି ଉପରେ କଡ଼ା ନଜର ରଖିଥିଲେ।
ରବିବାର ସନ୍ଧ୍ୟାରେ ଟାଇଗର ଶ୍ରଫ୍ ନିଜର ନିୟମିତ ରୁଟିନ୍ ଅନୁଯାୟୀ ଫୁଟବଲ୍ ଖେଳି ସାରି କାର୍ରେ ଘରକୁ ଫେରୁଥିଲେ। ସେହିପରି ଜୁହୁର ପୁଷ୍ପା ନରସୀ ପାର୍କ୍ ନିକଟରେ ମୋଟରସାଇକେଲରେ ଆସିଥିବା ତିନିଜଣ ଦୁର୍ବୃତ୍ତ ହଠାତ୍ ଗାଡ଼ି ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଟାଇଗର ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ତାଙ୍କ ଡ୍ରାଇଭର ଆହତ ହୋଇଥିଲେ।
ଗୁଳିମାଡ଼ ପରେ ଅଭିଯୁକ୍ତମାନେ ସେମାନଙ୍କର ପୂର୍ବ-ଯୋଜନା ମୁତାବକ ଆନ୍ଧେରୀ ପଶ୍ଚିମ ରେଳଷ୍ଟେସନ ନିକଟରେ ବାଇକ୍ ଛାଡ଼ି ବୋରିଭଲି ମୁଖେ ଟ୍ରେନ୍ ଧରିଥିଲେ। ସେଠାରୁ କ୍ୟାବ୍ ଯୋଗେ ସୁରଟ ଏବଂ ପରେ ସୁରଟ ଷ୍ଟେସନରୁ କୋଟାଗାମୀ ଟ୍ରେନରେ ବସିଥିଲେ। ସେମାନଙ୍କର ଯୋଜନା ଦିଲ୍ଲୀ ଦେଇ ନେପାଳ ପଳାଇବା ଥିଲା।
ମୁମ୍ବାଇ କ୍ରାଇମବ୍ରାଞ୍ଚର ୩ରୁ ୪ଟି ଟିମ୍ ତୁରନ୍ତ ତତ୍ପରତା ପ୍ରକାଶ କରି ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ଜାଲ ବିଛାଇଥିଲେ। ଶେଷରେ ରାଜସ୍ଥାନ କୋଟା ପୋଲିସର ସହଯୋଗରେ ଟ୍ରେନରେ ଯାତ୍ରା କରୁଥିବା ତିନି ଅଭିଯୁକ୍ତଙ୍କୁ ମାତ୍ର କିଛି ଘଣ୍ଟା ମଧ୍ୟରେ କାବୁ କରାଯାଇଛି।