ଭୁବନେଶ୍ୱର: ରାଜ୍ୟରେ ଗଭୀର ଅବପାତ ପ୍ରଭାବ କମିବା ଆରମ୍ଭ କରିଥିଲେ ମଧ୍ୟ ବର୍ଷାର ପ୍ରକୋପ ସମ୍ପୂର୍ଣ୍ଣ ଥମିନାହିଁ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିବ।
ବର୍ଷାର ସ୍ଥିତି ଏବଂ ସିଷ୍ଟମର ଗତିପଥ: ଗଭୀର ଅବପାତଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ କେନ୍ଦ୍ରୀଭୂତ ରହିଛି। ଭବାନୀପାଟଣାଠାରୁ ପ୍ରାୟ ୬୦ କି.ମି. ଏବଂ ଟିଟିଲାଗଡ଼ଠାରୁ ପ୍ରାୟ ୯୦ କି.ମି. ଦୂରରେ ଏହା ସକ୍ରିୟ ରହିଛି।
ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ତଥାପି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି।
ବିଭିନ୍ନ ଜିଲ୍ଲା ପାଇଁ ଚେତାବନୀ : ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ନବରଙ୍ଗପୁର, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି, ଏହି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ଆର୍ଲଟ ଦିଆଯାଇଛି।
ସେହିପରି ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସମୁଦ୍ର ଅଶାନ୍ତ ରହୁଥିବାରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଆକାଶ ଆଂଶିକ ମେଘୁଆ ରହିବା ସହ ଗୋଟିଏା ଦୁଇଟି ପର୍ଯ୍ୟାୟରେ ବର୍ଷା କିମ୍ବା ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।