ନୂଆଦିଲ୍ଲୀ: ଗ୍ରାହକ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍ ସହିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ, ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ (UFBU) ପକ୍ଷରୁ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ କରାଯାଇଛି।
ରବିବାର ବିଳମ୍ବିତ ରାତିରେ IBA ଏବଂ UFBU ମଧ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ପରେ ୟୁନିଅନ୍ ପକ୍ଷରୁ ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା ନେଇ ଘୋଷଣା କରାଯାଇଛି। ତେବେ ସମସ୍ତ ଶନିବାରକୁ ବ୍ୟାଙ୍କ ଛୁଟି ଭାବେ ଘୋଷଣା କରିବା ଦାବିକୁ ବିଚାର କରିବା ପାଇଁ IBA ଏବଂ UFBU ର ଏକ ମିଳିତ କମିଟି ଗଠନ କରାଯିବ।
ଏହି କମିଟି ସମସ୍ତ ପକ୍ଷ ଏବଂ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ସମାଧାନ ବାହାର କରିବ I ସ୍କେଲ୍ IV ଏବଂ ଏହାରୁ ଉପର ଅଧିକାରୀଙ୍କ ପାଇଁ ଥିବା ପରଫର୍ମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ (PLI) ଯୋଜନାରେ ପରିବର୍ତ୍ତନ ଆଣିବା ନେଇ ସରକାରଙ୍କ ସହ ଆଲୋଚନା କରାଯିବ।
ଏହାବ୍ୟତୀତ ମାର୍ଚ୍ଚ ୮, ୨୦୨୪ ର ବୈଠକର ମିନିଟ୍ସରେ ଥିବା ଅନ୍ୟାନ୍ୟ ବାକିଥିବା ସମସ୍ୟାଗୁଡ଼ିକର ମଧ୍ୟ ଶୀଘ୍ର ସମଧାନ କରାଯିବ। ଧର୍ମଘଟ ସ୍ଥଗିତ ହୋଇଥିବାରୁ ସେପ୍ଟେମ୍ବର ୨୮, ୨୯ ଏବଂ ୩୦ ତାରିଖରେ ଦେଶର ସମସ୍ତ ସାଧାରଣ ବ୍ୟାଙ୍କ ଶାଖାଗୁଡ଼ିକ ସ୍ୱାଭାବିକ ଭାବେ ଖୋଲା ରହିବ ଏବଂ ଗ୍ରାହକମାନେ ସେମାନଙ୍କର ସମସ୍ତ ନିୟମିତ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ସହଜରେ କରିପାରିବେ।
ତେବେ UFBU ସ୍ପଷ୍ଟ କରିଛି ଯେ ଆନ୍ଦୋଳନକୁ କେବଳ ସ୍ଥଗିତ ରଖାଯାଇଛି, ବାତିଲ୍ କରାଯାଇନାହିଁ। ଯଦି IBA ଏବଂ ସରକାର ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଶୀଘ୍ର କାର୍ଯ୍ୟ ନ କରନ୍ତି, ତେବେ ଆଗାମୀ ଅକ୍ଟୋବର ୨୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳୀନ ହର୍ତ୍ତାଳ କରାଯିବ ବୋଲି ଚେତାବନୀ ଦିଆଯାଇଛି।