ଭୁବନେଶ୍ୱର: ଭାରତର ନିୟନ୍ତ୍ରକ ଏବଂ ମହାସମୀକ୍ଷକ (CAG) ସୋମବାର ଦିନ ଓଡ଼ିଶାର ପର୍ଯ୍ୟଟନ ଏବଂ ପରିବହନ କ୍ଷେତ୍ରରେ ବଡ଼ଧରଣର ଆର୍ଥିକ ତଥା ପ୍ରଶାସନିକ ଅନିୟମିତତାକୁ ନେଇ ଏକ କଡ଼ା ରିପୋର୍ଟ ପ୍ରକାଶ କରିଛନ୍ତି।
୨୦୧୯-୨୦ ରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ହୋଇଥିବା ଏହି ଅଡିଟ୍ ରିପୋର୍ଟରେ ଇକୋ-ରିଟ୍ରିଟ୍ ଆୟୋଜନରେ ୨୦୭.୬୮ କୋଟି ଟଙ୍କାର କ୍ଷତି ଏବଂ ବ୍ୟାଙ୍କ ଖାତାରେ ୮୯୮.୪୮ କୋଟି ଟଙ୍କା ଅବ୍ୟବହୃତ ହୋଇ ପଡ଼ିରହିଥିବା ପ୍ରକାଶ ପାଇଛି।
ପର୍ଯ୍ୟଟନ ବିଭାଗର ଅନିୟମିତତା:
ପାଣ୍ଠି ଅବ୍ୟବହାର: ପର୍ଯ୍ୟଟନ ବିଭାଗ (DoT) ୨,୨୭୮.୦୪ କୋଟି ଟଙ୍କାର ବଜେଟ୍ ଆବଣ୍ଟନରୁ ପାଣ୍ଠି ବ୍ୟବହାର ନ କରିବାରୁ ୧୦୩.୩୫ କୋଟି ଟଙ୍କା ଫେରସ୍ତ କରିଛି।
ବ୍ୟାଙ୍କରେ ଅର୍ଥ ଜମା: ବିଭିନ୍ନ ପ୍ରକଳ୍ପ ପାଇଁ ଥିବା ୮୯୮.୪୮ କୋଟି ଟଙ୍କା ୯ଟି ଏଜେନ୍ସିର ବ୍ୟାଙ୍କ ଖାତାରେ ପଡ଼ିରହିଥିଲା, ଯାହା ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ (୮୦୬.୪୪ କୋଟି ଟଙ୍କା) ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଏବଂ STDC ପାଖରେ ୫ ବର୍ଷ ଧରି ପଡ଼ିରହିଥିଲା।
ଇକୋ-ରିଟ୍ରିଟ୍ କ୍ଷତି: ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ୭ଟି ଇକୋ-ରିଟ୍ରିଟ୍ ଆୟୋଜନ କରିବାରେ ବିଭାଗକୁ ୨୦୭.୬୮ କୋଟି ଟଙ୍କାର କ୍ଷତି, ଏବଂ PRASAD ତଥା ସ୍ୱଦେଶ ଦର୍ଶନ ଯୋଜନାର ଅନେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଥିବା ଜଣାପଡ଼ିଛି।
ଅଗ୍ନି ନିରାପତ୍ତା ଅଭାବ: ୨୦ଟି ପନ୍ଥାନିବାସ ବିନା ମ୍ଯାଣ୍ଡେଟାରୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର (Fire Safety Certificate) ରେ ଚାଲୁଥିବା କ୍ୟାଗ୍ ଦର୍ଶାଇଛନ୍ତି।
ପରିବହନ ବିଭାଗ (STA & RTOs) ର ତ୍ରୁଟି:
ଟିକେକ୍ ଆଦରୀ ଓ ବକେୟା: ୫୩୦ କୋଟି ଟଙ୍କାର ଟିକେକ୍ ବକେୟା ଲକ୍ଷ୍ୟରୁ ମାତ୍ର ୯.୭୧ କୋଟି ଟଙ୍କା (୧.୮୩ ପ୍ରତିଶତ) ଅଗଷ୍ଟ ୨୦୨୪ ସୁଦ୍ଧା ଆଦିତ ହୋଇପାରିଛି।
ପେଣ୍ଡିଂ ଇ-ଚାଲାନ୍: ୩୯.୫୫ ଲକ୍ଷ ଇ-ଚାଲାନ୍ ବାବଦକୁ ୧,୧୩୬.୬୨ କୋଟି ଟଙ୍କା ବିଭିନ୍ନ RTO, କୋର୍ଟ କିମ୍ବା ପୋଲିସ ପାଖରେ ପଡ଼ିରହିଛି।
ରୋଡ୍ ସେଫ୍ଟି: ୨୦୧୫ ଆଧାରରେ ସଡ଼କ ଦୁର୍ଘଟଣା ୫୦ ପ୍ରତିଶତ ଏବଂ ମୃତ୍ୟୁହାର ୨୦ ପ୍ରତିଶତ କମାଇବାକୁ ଲକ୍ଷ୍ୟ ଥିଲେ ମଧ୍ୟ, ୨୦୧୯-୨୩ ମଧ୍ୟରେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।