ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ନୀତିଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ମହାକାବ୍ୟ ଫିଲ୍ମ ‘ରାମାୟଣ’କୁ ନେଇ ଏକ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି। ଫିଲ୍ମର ମେକର୍ସ ଘୋଷଣା କରିଛନ୍ତି ଯେ ଫିଲ୍ମର ପ୍ରଥମ ପାର୍ଟ ଆସନ୍ତା ନଭେମ୍ବର ୫, ୨୦୨୬ ରେ ବିଶ୍ୱବ୍ୟାପୀ ସିନେମାଘରମାନଙ୍କରେ ମୁକ୍ତିଲାଭ କରିବ। ସବୁଠାରୁ ବଡ଼ କଥା ହେଲା, ବର୍ତ୍ତମାନ ଭାରତ ଏବଂ ବିଦେଶରେ ଏହି ଫିଲ୍ମ ଏକାଦିନେ ରିଲିଜ୍ ହେବ।
ପୂର୍ବରୁ ଏହି ଫିଲ୍ମଟି ଭାରତରେ ଏହାର ଆନ୍ତର୍ଜାତୀୟ ରିଲିଜ୍ ର ତିନି ଦିନ ପରେ ଅର୍ଥାତ୍ ନଭେମ୍ବର ୮ରେ ମୁକ୍ତିଲାଭ କରିବାର ଥିଲା। କିନ୍ତୁ ନୂତନ ସୂଚୀ ଅନୁଯାୟୀ ଭାରତୀୟ ଦର୍ଶକମାନେ ମଧ୍ୟ ବିଦେଶୀ ଦର୍ଶକଙ୍କ ସହ ନଭେମ୍ବର ୫ରେ ହିଁ ଫିଲ୍ମଟି ଦେଖିପାରିବେ। ଏହା ବ୍ୟତୀତ, ଆସନ୍ତା ଦଶହରାରୁ ଏହି ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯିବ ବୋଲି ମେକର୍ସ ସ୍ପଷ୍ଟ କରିଛନ୍ତି।
ନବରାତ୍ରୀର ପ୍ରଥମ ଦିନରେ ଏହି ଫିଲ୍ମର ଏକ ନୂତନ ପୋଷ୍ଟର ଜାରି କରାଯାଇଛି। ଫିଲ୍ମରେ ରଣବୀର କପୁର (ରାମ), ସାଇ ପଲ୍ଲବୀ (ସୀତା), ରବି ଦୁବେ ଏବଂ ‘ରକିଂ ଷ୍ଟାର୍’ ୟଶ (ରାବଣ) ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାଛଡ଼ା ସନ୍ନି ଦେଓଲ (ହନୁମାନ), ଅରୁଣ ଗୋଭିଲ୍ (ଦଶରଥ), ଲାରା ଦତ୍ତା (କୈକେୟୀ) ଏବଂ ରକୁଲ ପ୍ରୀତ ସିଂହ (ଶୂର୍ପଣଖା) ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।
‘ରାମାୟଣ ପାର୍ଟ-୧’ ହିନ୍ଦୀ, ତମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ଆଇମ୍ୟାକ୍ସ ଏବଂ ଅନ୍ୟାନ୍ୟ ପ୍ରିମିୟମ୍ ଫର୍ମାଟ୍ରେ ମୁକ୍ତିଲାଭ କରିବ। ଏହି ମେଗା ବଜେଟ୍ ଫିଲ୍ମର ଦ୍ୱିତୀୟ ପାର୍ଟ ୨୦୨୭ର ଦୀପାବଳିରେ ଆସିବାର ଯୋଜନା ରହିଛି।