କୋରାପୁଟ: ଆସନ୍ତା ନଭେମ୍ବର ୩ ତାରିଖରେ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପୁଣି ଥରେ ଗରମାଗରମ୍ ହୋଇଉଠିଛି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅଧୀନସ୍ଥ ପାନ୍ଥଲୁଙ୍ଗ ପଞ୍ଚାୟତର ବିଭିନ୍ନ ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶ ନିର୍ବାଚନର ସମର୍ଥନରେ ପ୍ରଚାର ପୋଷ୍ଟର ଓ ବ୍ୟାନର ମାରାଯାଇଥିବା ଦେଖିବାକୁ ମିଳିଛି।
ଆନ୍ଧ୍ରପ୍ରଦେଶର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକରେ ପଶି ପ୍ରଚାର ଚଳାଇଥିବା ଅଭିଯୋଗ ହୋଇଛି। ଏହି ଗ୍ରାମଗୁଡ଼ିକର କେତେକ ବାସିନ୍ଦାଙ୍କ ପାଖରେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଭୋଟର ଆଇଡି କାର୍ଡ ରହିଛି।
ଖବର ପାଇବା ପରେ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଡୋରା, ତହସିଲଦାର ଦେବବ୍ରତ ମୋହାରଣା, ପାଡୁଆ ଥାନା ଅଧିକାରୀ ଟୁନା ପିଡିକା ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ସୀମାନ୍ତ ରାୟପାହାଡ଼ ଗ୍ରାମରେ ପହଞ୍ଚିଥିଲେ।
ସେମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଓଡ଼ିଶା ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ସେଠାରେ ଲଗାଯାଇଥିବା ସମସ୍ତ ଆନ୍ଧ୍ର ନିର୍ବାଚନୀ ପୋଷ୍ଟର ଓ ବ୍ୟାନରକୁ କାଢ଼ି ଫିଙ୍ଗି ଦିଆଯାଇଛି। ପ୍ରଶାସନିକ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମା ଭିତରେ କୌଣସି ପୋଲିଂ ବୁଥ୍ ସ୍ଥାପନ କରିନାହିଁ।
ସୀମାନ୍ତ ଗ୍ରାମଗୁଡ଼ିକର କେତେକ ବାସିନ୍ଦା ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ସରକାରଙ୍କ ଠାରୁ ଭତ୍ତା, ଆବାସ ଏବଂ ଶିକ୍ଷା ସମ୍ବନ୍ଧୀୟ ସରକାରୀ ସହାୟତା ପାଉଛନ୍ତି। କେତେକ ଗ୍ରାମବାସୀ ପ୍ରକାଶ କରିଛନ୍ତି ଯେ, ସେମାନେ ଓଡ଼ିଶା ନିର୍ବାଚନରେ ଭୋଟ୍ ଦେବା ସହ ନଭେମ୍ବର ୩ ରେ ଆନ୍ଧ୍ର ନିର୍ବାଚନରେ ମଧ୍ୟ ଭୋଟ୍ ଦେବାକୁ ଯୋଜନା କରିଛନ୍ତି।
ଏହି ସ୍ଥିତିକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶ ପକ୍ଷରୁ ସୀମା ନିକଟବର୍ତ୍ତୀ ମୁଚିଙ୍ଗପୁଟ, ଆଦ୍ରାକୋଟା, ମାଲିପୁଟ, କାନ୍ଦ୍ରୁମ୍ ଏବଂ ଗୋରାପୁର ଭଳି ସ୍ଥାନରେ ସ୍ଥାପନ କରାଯାଉଥିବା ପୋଲିଂ ବୁଥ୍ଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ସେମାନେ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି।