ଯାଜପୁର: ଯାଜପୁର ସରକାରୀ ପଲିଟେକ୍ନିକ୍ ରେ ଶୃଙ୍ଖଳାଗତ ନିୟମ ଲଂଘନ ଓ ଅସଦାଚରଣ ଅଭିଯୋଗରେ ୩ ଜଣ ଅଧ୍ୟାପକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସିଧାସଳଖ ନିର୍ଦ୍ଦେଶ କ୍ରମେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ନିଲମ୍ବିତ ଅଧ୍ୟାପକମାନେ ହେଉଛନ୍ତି ନୃସିଂହ ଚରଣ ବେହେରା (ସିନିୟର୍ ଲେକ୍ଚରର୍), ସନ୍ଦୀପ ମହାପାତ୍ର (ଲେକ୍ଚରର୍) ଏବଂ ପି. ଆରାଧନା (ଲେକ୍ଚରର୍) ।
ଅଭିଯୋଗ ଅନୁଯାୟୀ, ଗତ ଅକ୍ଟୋବର ୨୬ ତାରିଖରେ କଲେଜର ଏକ ଷ୍ଟାଫ୍ ମିଟିଂ ସମୟରେ ଏହି ୩ ଜଣ ଅଧ୍ୟାପକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ବୈଠକ ଚାଲିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଅଧ୍ୟାପକମାନେ କଲେଜ ପରିସରରେ ପରସ୍ପରକୁ ଗାଳିଗୁଲଜ କରିବା ସହ ମାରପିଟ୍ ଓ ଅଶୋଭନୀୟ ଆଚରଣ କରିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଏହି ଭଳି ହିଂସାକାଣ୍ଡ ଘଟିବା ଯୋଗୁଁ ଅନୁଷ୍ଠାନର ଶିକ୍ଷାଦାନ ପରିବେଶ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।
ଏହି ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅତ୍ୟନ୍ତ ଗୁରୁତର ସହ ନେଇଛି। ସିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ଶିକ୍ଷାଦାନ ଏକ ପବିତ୍ର ଓ ସମ୍ମାନଜନକ ପେଷା। ଛାତ୍ରଛାତ୍ରୀଙ୍କ ଆଗରେ ଅଧ୍ୟାପକମାନଙ୍କର ଏଭଳି ଅଶୋଭନୀୟ ଆଚରଣ ଓ ହିଂସା ଶିକ୍ଷାନୁଷ୍ଠାନର ସୁନାମ କ୍ଷୁଣ୍ଣ କରିବା ସହ ସମାଜରେ ଏକ ଖରାପ ପ୍ରଭାବ ପକାଏ।
ଏହି ଗୁରୁତର ଅବହେଳା ଓ ଅସଦାଚରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩ ଜଣଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି, ଯାହାଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅନୁଶାସନ ବଜାୟ ରହିପାରିବ।