ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ସାମୁଦ୍ରିକ ଝଡ଼ ‘ମୁରାସୁ’ ଶେଷରେ ସ୍ଥଳଭାଗ ଛୁଇଁଛି । ମଙ୍ଗଳବାର ଭୋର ସମୟରେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ନରସାପୁର ମଧ୍ୟବର୍ତ୍ତୀ ଓଙ୍ଗୋଲ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୋସିଆଲ୍ ମିଡିଆ ପୋଷ୍ଟରେ IMD ସ୍ପଷ୍ଟ କରିଛି ଯେ, ବାତ୍ୟା ‘ମୁରାସୁ’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ସକାଳ ୩:୩୦ ରୁ ୫:୩୦ ମଧ୍ୟରେ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିମି (ଝଟକା ପବନ ୧୨୦ କିମି) ବେଗରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି। ଲ୍ୟାଣ୍ଡଫଲ୍ ସମୟରେ ଏହାର କେନ୍ଦ୍ରସ୍ଥଳ ଓଙ୍ଗୋଲ୍ ନିକଟବର୍ତ୍ତୀ (ଅକ୍ଷାଂଶ ୧୫.୫୩° ଉତ୍ତର ଏବଂ ଦ୍ରାଘିମା ୮୦.୨୨° ପୂର୍ବ) ରେ ରହିଥିଲା।
ଆନ୍ଧ୍ରପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ RTGS ର ତଥ୍ୟ ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟାଟି ଘଣ୍ଟାପ୍ରତି ୯ କିମି ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହୋଇଥିଲା। ଲ୍ୟାଣ୍ଡଫଲ୍ ସମୟରେ ଏହା ଓଙ୍ଗୋଲ୍ଠାରୁ ୨୦ କିମି, ବାପଟଲାଠାରୁ ୬୦ କିମି, କାଭାଲିଠାରୁ ୭୦ କିମି, ନେଲୋରଠାରୁ ୧୧୦ କିମି ଏବଂ ମାଚିଲିପାଟଣମ୍ଠାରୁ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ଥିଲା।
APSDMA ର ପ୍ରବନ୍ଧ ନିର୍ଦ୍ଦେଶକ ତଥା RTGS ସିଇଓ ପ୍ରଖର ଜୈନ୍ଙ୍କ ସୂଚନା ଅନୁଯାୟୀ, ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ। ପଶ୍ଚିମ ଗୋଦାବରୀ, ଏଲୁରୁ, କୃଷ୍ଣା, ଏନ୍ଟିଆର୍, ଗୁଣ୍ଟୁର, ବାପଟଲା, ପାଲନାଡୁ, ମାର୍କାପୁରମ୍, ପ୍ରକାଶମ୍ ଏବଂ ନେଲୋର ଜିଲ୍ଲାରେ ଭୀଷଣ ବର୍ଷା ସହ ଉଚ୍ଚ ବେଗରେ ପବନ ବହିବାର ସମ୍ଭାବନା ରହିଛି।
ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ସମସ୍ତ ଅଞ୍ଚଳର ଜନସାଧାରଣଙ୍କୁ କୌଣସି ଜରୁରୀ କାମ ନଥିଲେ ଘରୁ ବାହାରକୁ ନବାହାରିବାକୁ ଏବଂ ଅତ୍ୟନ୍ତ ସଜାଗ ଓ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମଧ୍ୟ ବାତ୍ୟାର ପ୍ରଭାବରେ ବର୍ଷା ଓ ଝଡ଼ପବନ ଜାରି ରହିଛି।