ଭୁବନେଶ୍ୱର: ଆଗାମୀ ପବିତ୍ର ଦୀପାବଳି ଉତ୍ସବକୁ ସୁରକ୍ଷିତ ଏବଂ ପ୍ରଦୂଷଣମୁକ୍ତ କରିବା ପାଇଁ ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ବାଣ ବିକ୍ରି ଉପରେ କଡ଼ା କଟକଣା ଜାରି କରାଯାଇଛି। ରାଜଧାନୀର ସୁରକ୍ଷାକୁ ଦୃଷ୍ଟିରେ ରଖି ସହରର ୨୫ରୁ ଅଧିକ ଖୋଲା ପଡ଼ିଆକୁ ଅସ୍ଥାୟୀ ବାଣ ଦୋକାନ ପାଇଁ ଚିହ୍ନଟ କରାଯାଇଛି। ନିର୍ଦ୍ଦିଷ୍ଟ ଏବଂ ସୀମିତ ଅବଧି ମଧ୍ୟରେ ହିଁ ଏହି ବାଣ ବିକ୍ରି ହୋଇପାରିବ।
ସୂଚନା ଅନୁଯାୟୀ, ବାଣ ଦୋକାନ ଲାଇସେନ୍ସ ପାଇଁ ପ୍ରାୟ ୫୫୦ଟି ଆବେଦନ ପତ୍ର ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ୨୫୦ଟି ଆବେଦନକୁ ମଞ୍ଜୁରୀ ମିଳିଛି। ଆବେଦନକାରୀମାନେ ପରିଚୟ ପତ୍ର ସହ ଫର୍ମ AE-5 ଦାଖଲ କରିବା ସହ ଅଗ୍ନିଶମ ବିଭାଗର NOC, ଜମି ମାଲିକଙ୍କ ସମ୍ମତି, ସାଧାରଣ ପ୍ରଶାସନ ବିଭାଗ କିମ୍ବା BMC ର ଅନୁମତି ଏବଂ ସ୍ଥାନୀୟ ଥାନାର ପୋଲିସ କ୍ଲିୟରାନ୍ସ ପାଇବା ବାଧ୍ୟତାମୂଳକ କରାଯାଇଛି।
କଟକଣା ଓ ଗାଇଡ୍ଲାଇନ୍:
୧. ଅସ୍ଥାୟୀ ଦୋକାନ ନିୟମ: ବାଣ ଦୋକାନଗୁଡ଼ିକ ବିଦ୍ୟାଳୟ, ବଜାର, ଆବାସିକ ଅଞ୍ଚଳ ଏବଂ ହସ୍ପିଟାଲଠାରୁ ଅତିକମରେ ୧୦୦ ମିଟର ଦୂରରେ ରହିବା ଆବଶ୍ୟକ। ଦୁଇଟି ଦୋକାନ ମଧ୍ୟରେ ସର୍ବନିମ୍ନ ୩ ମିଟର ଦୂରତା ରହିବ। ଦୋକାନଗୁଡ଼ିକ ଟିଣ ସିଟ୍ରେ ନିର୍ମିତ ହେବା ସହ ନିଆଁ ଲିଭାଇବା ଯନ୍ତ୍ର, ବାଲି ବାଲ୍ଟି ଏବଂ ପାଣି ରହିବା ବାଧ୍ୟତାମୂଳକ।
୨. ନିଷିଦ୍ଧ ସାମଗ୍ରୀ: ଦୋକାନ ନିକଟରେ କୌଣସି ଜାଳେଣି ସାମଗ୍ରୀ, ଗ୍ୟାସ୍ ଲ୍ୟାମ୍ପ, ମୋମବତି କିମ୍ବା ପେଟ୍ରୋଲିୟମ୍ ଜାତୀୟ ଦ୍ରବ୍ୟ ରଖିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
୩. ଅନଲାଇନ୍ ବିକ୍ରି ବ୍ୟାନ୍: ଆମାଜନ୍ ଏବଂ ଫ୍ଲିପ୍କାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ବାଣ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।
୪. କେବଳ ଗ୍ରୀନ୍ କ୍ରାକର୍ସ: କେବଳ PESO ଦ୍ୱାରା ଅନୁମୋଦିତ ଗ୍ରୀନ୍ କ୍ରାକର୍ସ ବିକ୍ରି ପାଇଁ ଅନୁମତି ଦିଆଯିବ। ଚକୋଲେଟ୍ ବୋମା ଏବଂ ଅଧିକ ଶବ୍ଦ ସୃଷ୍ଟି କରୁଥିବା ନିଷିଦ୍ଧ ବାଣ ସମ୍ପୂର୍ଣ୍ଣ ବ୍ୟାନ୍ ରହିବ।
କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ: କଟକଣା ସତ୍ତ୍ୱେ କେତେକ ଅଞ୍ଚଳରେ ବେଆଇନ୍ ଭାବେ ବାଣ ଦୋକାନ ଖୋଲୁଥିବା ନେଇ ଅଭିଯୋଗ ଆସୁଥିବାରୁ ଭୁବନେଶ୍ୱର ଡିସିପି ଶ୍ରବଣ ବିବେକ ଏମ୍ କଡ଼ା ଚେତାବନୀ ଦେଇଛନ୍ତି। ନିୟମ ଭଙ୍ଗ କଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୀପାବଳିର ଠିକ୍ ପୂର୍ବ ଦୁଇ ଦିନ ହିଁ କେବଳ ଅନୁମୋଦିତ ଅସ୍ଥାୟୀ ଦୋକାନଗୁଡ଼ିକରେ ବାଣ ବିକ୍ରି ପାଇଁ ଅନୁମତି ମିଳିବ।