ପଟ୍ଟାଙ୍ଗୀ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ବିବାଦୀୟ କୋଟିଆ ଅଞ୍ଚଳରେ ପୁଣି ଥରେ ସୀମା ବିବାଦକୁ ନେଇ ଉତ୍ତେଜନା ଦେଖାଦେଇଛି। ସୋମବାର କୋରାପୁଟ ଜିଲ୍ଲା କୋଟିଆ ପୋଲିସ ନେରିଡ଼ିବଲସା ଚେକ୍ପୋଷ୍ଟ ନିକଟରେ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍କୁ ଅଟକାଇବା ପରେ ଏହି ବିବାଦ ସୃଷ୍ଟି ହୋଇଛି।
ଟ୍ରକ୍ଟିକୁ ଅଟକାଯିବା ପରେ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ବାକ୍ଯୁଦ୍ଧ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବାକୁ ଚେଷ୍ଟା କରୁଥିବାରୁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ପଟ୍ଟାଙ୍ଗୀ ବ୍ଲକ୍ ପ୍ରଶାସନ ପକ୍ଷରୁ ସୀମାନ୍ତରେ ସୁରକ୍ଷା ଓ କଡ଼ା ନଜର ବୃଦ୍ଧି କରାଯାଇଛି। ଆନ୍ଧ୍ରର କୌଣସି ନିର୍ବାଚନୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ନଦେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ କୋଟିଆର ୩ଟି ପ୍ରମୁଖ ପ୍ରବେଶ ପଏଣ୍ଟ ନେରିଡ଼ିବଲସା, ତାଳସେମ୍ବି ଏବଂ ପାଟୁସିନେରୀ ଠାରେ ୨୪ ଘଣ୍ଟିଆ ସ୍ୱତନ୍ତ୍ର ଚେକ୍ପୋଷ୍ଟ ସ୍ଥାପନ କରାଯାଇଛି। ଏହି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆନ୍ଧ୍ରପ୍ରଦେଶ ରେଜିଷ୍ଟ୍ରେସନ୍ ଥିବା ଚାଉଳ ଟ୍ରକ୍ଟି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ନେରିଡ଼ିବଲସାଠାରେ ଅଟକାଇଥିଲା।
ଉତ୍ତେଜନା ବିଷୟରେ ଖବର ପାଇ ପଟ୍ଟାଙ୍ଗୀ ତହସିଲଦାର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଘଟଣା ଦୀର୍ଘ ଦିନରୁ ଚାଲିଆସୁଥିବା ଓଡ଼ିଶା-ଆନ୍ଧ୍ରପ୍ରଦେଶ କୋଟିଆ ସୀମା ବିବାଦ ଏବଂ ପ୍ରଶାସନିକ ନିୟନ୍ତ୍ରଣର ଲଢ଼େଇକୁ ପୁଣି ଥରେ ଲୋକଲୋଚନକୁ ଆଣିଛି।