ଭୁବନେଶ୍ୱର: ରାଜ୍ୟରେ ଅଚାନକ ପାଣିପାଗ ପରିବର୍ତ୍ତନ ହେବାରେ ଲାଗିଛି। ଖରା ହେବା ସହ ହଠାତ୍ ମେଘ ଘୋଟି ଆସୁଛି। ଏହି ସମୟରେ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ପ୍ରଣାଳୀ ବଳ ଗୋଟାଉଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ବାତ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍ ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୯ ରୁ ୩୦ ତାରିଖ ମଧ୍ୟରେ ଏକ ଶକ୍ତିଶାଳୀ ବାତ୍ୟା ସ୍ଥଳଭାଗ ଆଡ଼କୁ ମୁହାଁଇପାରେ।
ଉତ୍ତର-ପୂର୍ବ ମୌସୁମୀ ବାୟୁ ସକ୍ରିୟ ହେବା ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଅକ୍ଟୋବର ୨୩ ରୁ ୨୬ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସମୁଦ୍ର ଜଳପତ୍ତନର ତାପମାତ୍ରା ଅନୁକୂଳ ଥିବାରୁ ଏହା ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ତେବେ ଏହା ଏକ ପ୍ରାକ୍-ଆକଳନ ହୋଇଥିବାରୁ ଏବେଠାରୁ ଏହାର ପ୍ରକୃତ ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଛୁଇଁବା ସ୍ଥାନ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଅକ୍ଟୋବର ୨୨ ରୁ ୨୪ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ। ଏହା ଅକ୍ଟୋବର ୨୫ କିମ୍ବା ୨୬ ବେଳକୁ ଲଘୁଚାପରେ ପରିଣତ ହେବ। ଏହି ସମୟରେ ସିଷ୍ଟମ୍ଟି ଓଡ଼ିଶାଠାରୁ ବହୁ ଦୂରରେ ଥିବାରୁ କୁମାର ପୂର୍ଣ୍ଣିମା ସମୟରେ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ପୂର୍ବ ଓ ଦକ୍ଷିଣ ଉପକୂଳ ଆଡ଼କୁ ଗତି କରିବ। ଅକ୍ଟୋବର ୨୧-୨୨ ପରେ ହିଁ ସିଷ୍ଟମ୍ର ପ୍ରକୃତ ଦିଗ ଓ ସ୍ଥିତି ସ୍ପଷ୍ଟ ହେବ।
ଅପରପକ୍ଷରେ, ଆରବ ସାଗର ଏବଂ ବଙ୍ଗୋପସାଗରରେ ଏକାସାଙ୍ଗରେ ଚାଲିଥିବା ସାମୁଦ୍ରିକ ହଲଚଲ ଯୋଗୁଁ ଦେଶର ୧୪ଟି ରାଜ୍ୟରେ ପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ଓ ଝଡ଼ପବନ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ଚେତାବନୀ ଜାରି କରିଛି। ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ଅକ୍ଟୋବର ୨୧ ରୁ ୨୬ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।