ନୂଆଦିଲ୍ଲୀ: ଇସ୍ରାଏଲ୍ରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ମେଣ୍ଟ ସବୁଠାରୁ ବଡ଼ ଗୋଷ୍ଠୀ ଭାବେ ଉଭା ହୋଇଥିଲେ ହେଁ ସରକାର ଗଢ଼ିବା ପାଇଁ ଜରୁରୀ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛି। ଏହାଫଳରେ ଦେଶରେ ପୁନର୍ବାର ଦୀର୍ଘ ଦିନର ସରକାରୀ ଆଲୋଚନା କିମ୍ବା ଆଉ ଏକ ନିର୍ବାଚନର ସମ୍ଭାବନା ସୃଷ୍ଟି ହୋଇଛି।
ଇସ୍ରାଏଲ୍ର ୧୨୦ ଆସନବିଶିଷ୍ଟ ସଂସଦରେ ସରକାର ଗଢ଼ିବା ପାଇଁ ଅନ୍ତତଃ ୬୧ଟି ଆସନର ଆବଶ୍ୟକତା ରହିଛି। ମୋଟ ୫୩ଟି ଆସନ ପାଇଛି, ଯାହା ମଧ୍ୟରୁ ତାଙ୍କ ନିଜ ଦଳ ‘ଲିକୁଡ୍’ ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ହୋଇଛି। କେନ୍ଦ୍ରପନ୍ଥୀ ‘ୟାଶାର’ ପାର୍ଟିର ଅଧ୍ୟକ୍ଷ ଗାଡି ଆଇଜେନକୋଟ୍ ଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ୪୮ଟି ଆସନ ହାସଲ କରିଛନ୍ତି। ଆରବ ରାଜନୈତିକ ଦଳ ‘ରାମ୍’ ଏବଂ ‘ଜଏଣ୍ଟ ଲିଷ୍ଟ’ ମିଳିତ ଭାବେ ୧୯ଟି ଆସନ ଜିତି କିଙ୍ଗମେକର୍ ସାଜିଛନ୍ତି। ନୂତନ ସରକାର ଗଠନରେ ଏମାନଙ୍କ ଭୂମିକା ନିର୍ଣ୍ଣାୟକ ହେବ। ନୂତନ ଭାବେ ନିର୍ବାଚିତ ନେତାମାନେ ଆସନ୍ତା ନଭେମ୍ବର ୧୦ ତାରିଖରେ ଶପଥ ଗ୍ରହଣ କରିବେ।
ଫଳାଫଳ ସାମ୍ନାକୁ ଆସିବା ପରେ ନେତାନ୍ୟାହୁଙ୍କ ଲିକୁଡ୍ ପାର୍ଟି ‘X’ ରେ ପୋଷ୍ଟ କରି ଅଭିଯୋଗ କରିଛି ଯେ, “ଆରବ ଦଳଗୁଡ଼ିକ ଦ୍ୱାରା ନିର୍ବାଚନକୁ ଚୋରି କରାଯାଇଛି।” ଏଥିସହିତ ପୋଲିସ ଓ ଗୁପ୍ତଚର ସଂସ୍ଥା ‘ସିନ୍ ବେଟ୍’ ନିକଟରେ ଅଭିଯୋଗ ଦାଖଲ କରାଯାଇଛି। ତେବେ ଇସ୍ରାଏଲ୍ର ନିର୍ବାଚନ କମିଶନ ଏବଂ ‘ସିନ୍ ବେଟ୍’ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି।
ଅନ୍ୟପଟେ, ବିରୋଧୀ ନେତା ଗାଡି ଆଇଜେନକୋଟ୍, ନେତାନ୍ୟାହୁ ନିର୍ବାଚନ ଫଳାଫଳକୁ ବେଆଇନ ଘୋଷଣା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ନଭେମ୍ବର ୧୦ ରେ ନୂତନ ସଂସଦ ଶପଥ ନେବା ମାତ୍ରେ ଦେଶରେ ସାର୍ବଜନୀନ ସାମରିକ ସେବା ଏବଂ ଅକ୍ଟୋବର ୭ ଆକ୍ରମଣର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଶନ ଗଠନ ପାଇଁ ବିଲ୍ ଆଗତ କରାଯିବ। ଅଣ-ନେତାନ୍ୟାହୁ ଦଳଗୁଡ଼ିକ ପାଖରେ ମୋଟ ୬୭ଟି ଆସନ ଥିବାରୁ ସେମାନେ ନେତାନ୍ୟାହୁଙ୍କ ସହ କୌଣସି ଜାତୀୟ ଏକତା ସରକାର ଗଢ଼ିବା ମୁଡ୍ରେ ନାହାନ୍ତି।