ଭୁବନେଶ୍ୱର: ମୌସୁମୀର ବିଦାୟ ଏବଂ ଶୀତ ଆରମ୍ଭ ହେବାର ବେଳ ଆସିଥିଲେ ହେଁ ବଙ୍ଗୋପସାଗରରେ ପୁଣି ପାଗ ବଦଳିବା ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ଦୁର୍ଗାପୂଜା ସମୟରେ ବର୍ଷା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି, କାରଣ ଅକ୍ଟୋବର ୧୩ ତାରିଖ ବେଳକୁ ଆଉ ଏକ ନୂତନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (IMD) ର ଆକଳନ ଅନୁଯାୟୀ, ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୧୩ ତାରିଖରେ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସ୍ୱଳ୍ପ ସମ୍ଭାବନା ରହିଛି। ଯଦିଓ ଏହା କେତେ ଘନୀଭୂତ ହେବ ଏବଂ ଓଡ଼ିଶା ଉପରେ ସିଧାସଳଖ କି ପ୍ରଭାବ ପକାଇବ, ସେନେଇ ସ୍ପଷ୍ଟ ଚିତ୍ର ଆସିନାହିଁ, ତଥାପି ୧୭ ଏବଂ ୧୮ ତାରିଖବେଳକୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବାର ଆଶଙ୍କା ରହିଛି।
ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ଦଶହରା ପଡ଼ୁଥିବାବେଳେ ଅକ୍ଟୋବର ୧୮ରୁ ମହାଷ୍ଟମୀ ପର୍ବ ଆରମ୍ଭ ହେବ। ପୂଜା ବାତାବରଣ ମଧ୍ୟରେ ଉପକୂଳ ପାଖାପାଖି ସମ୍ଭାବ୍ୟ ଅବପାତ ରହିବାର ଆଶଙ୍କା ଥିବାରୁ ପର୍ବପର୍ବାଣୀ ଫିକା ପଡ଼ିପାରେ ବୋଲି ଆକଳନ କରାଯାଉଛି। ଅତୀତରେ ଯେପରି ୨୦୧୩ରେ ‘ଫାଇଲିନ’ ଏବଂ ୨୦୧୪ରେ ‘ହୁଡହୁଡ୍’ ଭଳି ବାତ୍ୟା ଦୁର୍ଗାପୂଜାକୁ ପ୍ରଭାବିତ କରିଥିଲା, ସେହିପରି ଚଳିତଥର ମଧ୍ୟ ପାଗ ପରିବର୍ତ୍ତନ ପୂଜା ମଜାକୁ ତ୍ରସ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି।