ଭୁବନେଶ୍ୱର: ବନ୍ୟପ୍ରାଣୀ ସୁରକ୍ଷା ଏବଂ ଦ୍ୱିପାକ୍ଷିକ ସହଯୋଗର ଏକ ବଡ଼ ସଫଳତା ସ୍ୱରୂପ, ଭାରତରେ ଉଦ୍ଧାର ହୋଇଥିବା ଏକ ଶିଶୁ ସୁମାତ୍ରାନ୍ ଓରାଙ୍ଗୁଟାନ୍ କୁ ସଫଳତାର ସହ ଇଣ୍ଡୋନେସିଆକୁ ପ୍ରତ୍ୟାବର୍ତ୍ତନ କରାଯାଇଛି।
ନଭେମ୍ବର ୨୦୨୪ରେ ଭାରତରେ ଉଦ୍ଧାର ହୋଇଥିବା ଏହି ଶିଶୁ ଓରାଙ୍ଗୁଟାନ୍କୁ ଗୁଜୁରାଟରୁ ଅକ୍ଟୋବର ୧୯, ୨୦୨୬ରେ ଇଣ୍ଡୋନେସିଆର ମେଡାନ୍ ସ୍ଥିତ କୁଆଲାସାମୁ ବିମାନବନ୍ଦରରେ ପହଞ୍ଚାଯାଇଛି। ଇଣ୍ଡୋନେସିଆର ବଣବିଭାଗ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଏକ ସ୍ୱତନ୍ତ୍ର ସ୍ୱାଗତ କରାଯାଇଥିବାବେଳେ ଭାରତ ସରକାର ଏହାର ସମସ୍ତ ଯତ୍ନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଛାଡ଼ କରି ଏକ ସ୍ୱତନ୍ତ୍ର ମାନବୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। CITES ର ନିୟମାନୁଯାୟୀ ଉଭୟ ଦେଶର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି।
ଅନ୍ୟପକ୍ଷରେ, ଗତ ସେପ୍ଟେମ୍ବର ୨୦୨୬ରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଶିଶୁ ଓରାଙ୍ଗୁଟାନଙ୍କୁ ମଧ୍ୟ ଶୀଘ୍ର ଇଣ୍ଡୋନେସିଆକୁ ଫେରାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ୫ଟି ଶିଶୁ ଓରାଙ୍ଗୁଟାନ୍ ଭୁବନେଶ୍ୱରସ୍ଥ ନନ୍ଦନକାନନ ପ୍ରାଣୀଦ୍ୟାନରେ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ରହିଛନ୍ତି।
ଓରାଙ୍ଗୁଟାନ୍ଗୁଡ଼ିକ ଭାରତର ସ୍ଥାନୀୟ ପ୍ରାଣୀ ନୁହଁନ୍ତି ଏବଂ ଏମାନେ ମୁଖ୍ୟତଃ ଦକ୍ଷିଣ-ପୂର୍ବ ଏସିଆର ବର୍ଷାଜଙ୍ଗଲରେ ମିଳିଥାଆନ୍ତି। ଏମାନଙ୍କ ପ୍ରକୃତ ଉତ୍ସ ଏବଂ ପ୍ରଜାତିକୁ ନିଶ୍ଚିତ କରିବା ପାଇଁ ଆଗାମୀ ନଭେମ୍ବର ମାସରେ ଇଣ୍ଡୋନେସିଆର ବଣବିଭାଗର ଏକ ବିଶେଷଜ୍ଞ ଦଳ ଭାରତ ଗସ୍ତ କରିବେ। ଆଇନଗତ ପ୍ରକ୍ରିୟା ଏବଂ ନିୟମାବଳୀ ଶେଷ ହେବା ପରେ ଏମାନଙ୍କୁ ମଧ୍ୟ ସ୍ୱଦେଶ ଫେରାଯିବ ବୋଲି ଆଶା କରାଯାଉଛି।