ନୂଆଦିଲ୍ଲୀ: ଆମେରିକାର ସ୍ଥାୟୀ ବାସିନ୍ଦା ଅର୍ଥାତ୍ ଗ୍ରୀନ୍-କାର୍ଡ଼ ଧାରୀ ଭାରତୀୟମାନଙ୍କ ପାଇଁ ଏକ ବଡ଼ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମେରିକାରେ ନାଗରିକତା ଅନୁମୋଦନ ପ୍ରକ୍ରିୟାରେ କ୍ରମାଗତ ମନ୍ଥରତା ଦେଖାଯାଇଥିବାବେଳେ ଅଗଷ୍ଟ ମାସ ସୁଦ୍ଧା ପେଣ୍ଡିଂ ଆବେଦନଗୁଡ଼ିକର ସଂଖ୍ୟା ୮,୧୩,୪୫୩ ରେ ପହଞ୍ଚିଛି।
ଆମେରିକୀୟ ନାଗରିକତା ଏବଂ ପ୍ରବାସୀ ସେବାର ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ୧୮,୪୩୯ ଥିବା ଅନୁମୋଦନ ଜୁଲାଇରେ ୧୬,୫୧୪ ଏବଂ ଅଗଷ୍ଟରେ ହ୍ରାସ ପାଇ ୧୫,୩୪୯ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପେଣ୍ଡିଂ ବ୍ୟାକଲଗ୍ କ୍ରମାଗତ ଭାବେ ବଢ଼ିଚାଲିଛି । ଜୁନ୍ରେ ୭,୪୪,୪୧୨ ଥିବାବେଳେ ଜୁଲାଇରେ ୭,୭୮,୪୮୯ ଏବଂ ଅଗଷ୍ଟରେ ଏହା ୮,୧୩,୪୫୩ ଛୁଇଁଛି। ସମୁଦାୟ ପେଣ୍ଡିଂ ଆବେଦନରୁ ପ୍ରାୟ ୫,୧୩,୪୬୨ ଜଣ ୬ ମାସରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି। ବର୍ତ୍ତମାନ ହାରାହାରି ପ୍ରକ୍ରିୟାକରଣ ସମୟ ୧୨.୭ ମାସ ରହିଛି।
ଡେପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି ତଥ୍ୟ ଅନୁଯାୟୀ, ଫିସ୍କାଲ୍ ଇୟର୍ ୨୦୨୪ ରେ ଆମେରିକୀୟ ନାଗରିକତା ହାସଲ କରିଥିବା ଲୋକଙ୍କ ମଧ୍ୟରେ ଭାରତ ଦ୍ୱିତୀୟ ସର୍ବବୃହତ ଦେଶ ଥିଲା। ପ୍ରାୟ ୪୯,୭୦୦ ଭାରତୀୟ ବଂଶୋଦ୍ଭବ ସେହି ବର୍ଷ ନାଗରିକତା ପାଇଥିଲେ। କିନ୍ତୁ ବର୍ତ୍ତମାନର ଏହି ମନ୍ଥରତା ଯୋଗୁଁ ଭାରତୀୟ ପେଷାଦାର ଏବଂ ଗ୍ରୀନ୍-କାର୍ଡ଼ଧାରୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି।
ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟା ପ୍ରମିଳା ଜୟପାଲ ଏହି ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆମେରିକା ପ୍ରଶାସନ ଦ୍ୱାରା ଆଇନଗତ ପ୍ରବାସୀ ଚ୍ୟାନେଲଗୁଡ଼ିକୁ କଡ଼ାକଡ଼ି କରାଯାଉଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ନାଗରିକତା ମିଳିବା ଦ୍ୱାରା ଭାରତୀୟମାନଙ୍କ ଭ୍ରମଣ, ଆତ୍ମୀୟଙ୍କ ସ୍ପନ୍ସର୍ସିପ୍ ଏବଂ ଭୋଟିଂ ଅଧିକାର ଭଳି ଅନେକ ଅନିଶ୍ଚିତତା ଦୂର ହୋଇଥାଏ, କିନ୍ତୁ ବର୍ତ୍ତମାନର ବିଳମ୍ବ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି।