ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ୍ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦଣ୍ଡାଦେଶପ୍ରାପ୍ତ ଅଭିଯୁକ୍ତ ରବୀନ୍ଦ୍ର ପାଲ୍ ଓରଫ୍ ଦାରା ସିଂଙ୍କ ଅବଧିପୂର୍ବ ମୁକ୍ତି ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି।
ଗୁରୁବାର ସୁପ୍ରିମକୋର୍ଟରେ ଏହି ସୂଚନା ଦିଆଯିବା ପରେ, ସର୍ବୋଚ୍ଚ ଅଦାଲତ ଦାରା ସିଂଙ୍କ ଓକିଲଙ୍କୁ ତାଙ୍କର ଆବେଦନ ସଂଶୋଧନ କରିବା ପାଇଁ ଦୁଇ ସପ୍ତାହର ସମୟ ପ୍ରଦାନ କରିଛନ୍ତି।
ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ ଆବେଦନକାରୀଙ୍କ ଆଇନଜୀବୀଙ୍କୁ କହିଥିଲେ, “ସରକାରଙ୍କ ପ୍ରତ୍ୟାଖ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ଆପଣ ଯେଉଁ ଆଇନଗତ ଆଧାର ନେବାକୁ ଚାହୁଁଛନ୍ତି ନିଅନ୍ତୁ। ପ୍ରଥମେ ନିଜର ଆବେଦନ ସଂଶୋଧନ କରନ୍ତୁ, ତା’ପରେ ଯୁକ୍ତି ଦର୍ଶାନ୍ତୁ।”
ସରକାରଙ୍କ ପକ୍ଷରୁ ଖାରଜ ଆଦେଶର ନକଲ ଆବେଦନକାରୀଙ୍କୁ ହସ୍ତାନ୍ତର କରାଯାଇଥିବା କୋର୍ଟ ନୋଟିସ୍ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ତିନି ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି।
୨୫ ବର୍ଷରୁ ଅଧିକ ସମୟ ଧରି ଜେଲ୍ରେ ଥିବା ୬୩ ବର୍ଷୀୟ ଦାରା ସିଂ, “ଯୁବକ ବୟସର ଆବେଗ” ଯୋଗୁଁ ଏହି ଅପରାଧ ଘଟିଥିବା ଏବଂ ସେଥିପାଇଁ ସେ ଅନୁତାପ କରୁଥିବା ଦର୍ଶାଇ ୨୦୨୪ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପୂର୍ବରୁ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାରୁ ଓଡ଼ିଶା ସରକାରଙ୍କୁ କଡ଼ା ଭର୍ତ୍ସନା କରିଥିଲେ।
ସୂଚନାଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ୨୨-୨୩ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲାର ମନୋହରପୁର ଗ୍ରାମରେ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ୍ ଷ୍ଟେନ୍ସ, ତାଙ୍କର ୧୧ ବର୍ଷର ପୁଅ ଫିଲିପ୍ ଏବଂ ୮ ବର୍ଷର ପୁଅ ଟିମୋଥିଙ୍କୁ ଜୀବନ୍ତ ଦଗ୍ଧ କରି ହତ୍ୟା କରାଯାଇଥିଲା।
୨୦୦୩ରେ ସିବିଆଇ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ, ଯାହାକୁ ୨୦୧୧ରେ ସୁପ୍ରିମକୋର୍ଟ କାୟମ ରଖିଥିଲେ।