ନୂଆଦିଲ୍ଲୀ: ଦେଶର ବୀର ଯବାନ ଏବଂ ସେମାନଙ୍କ ପରିବାର ପ୍ରତି ସମ୍ମାନ ଜଣାଇ ଭାରତ ସରକାର ଏକ ବଡ଼ କଲ୍ୟାଣକାରୀ ନିଷ୍ପତ୍ତି ନେଇଛନ୍ତି। ବୀରତା ପାଇଁ ‘ସେନା ମେଡାଲ’ (Sena Medal), ‘ନୌସେନା ମେଡାଲ’ (Nao Sena Medal) ଏବଂ ‘ବାୟୁସେନା ମେଡାଲ’ (Vayu Sena Medal) ପାଇଥିବା ଯବାନ ଓ ସେମାନଙ୍କ ଉପଯୁକ୍ତ ପରିବାରବର୍ଗଙ୍କୁ ଏବେ ଭାରତୀୟ ରେଳବାଇରେ ଆଜୀବନ ମାଗଣା ଯାତ୍ରା ସୁବିଧା ମିଳିବ। ଏହି ନିଷ୍ପତ୍ତି ପୂର୍ବରୁ ଘୋଷଣା ହୋଇସାରିଥିବା ବେଳେ, ଆସନ୍ତା ୨୦୨୬ ନଭେମ୍ବର ୧ ତାରିଖରୁ ଆଇଆରସିଟିସି ୱେବସାଇଟ୍ ମାଧ୍ୟମରେ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ।
ଏହି ସୁବିଧାକୁ ସହଜ ଓ କାଗଜରହିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଡିଜିଟାଲ ପ୍ରଣାଳୀ ପ୍ରସ୍ତୁତ କରାଯାଇଛି। ହିତାଧିକାରୀମାନେ ପ୍ରଥମେ ‘ଇଣ୍ଡିଆନ୍ ରେଲୱେ କନସେସନ୍ କାର୍ଡ ପୋର୍ଟାଲ’ ରେ ଅନ୍ଲାଇନ୍ ପଞ୍ଜୀକରଣ କରିବେ। ଯାଞ୍ଚ ପ୍ରକ୍ରିୟା ସଫଳ ହେବା ପରେ ଅନ୍ଲାଇନ୍ ଇ-ପାସ୍ ଜାରି କରାଯିବ, ଯାହା ମାଧ୍ୟମରେ IRCTCରୁ ମାଗଣା ଟିକେଟ୍ ବୁକ୍ କରିହେବ।
ସୁବିଧା ଓ ବର୍ଗ: ବିଜେତା ଯବାନମାନେ ଫାର୍ଷ୍ଟ କ୍ଲାସ୍, ସେକେଣ୍ଡ ଏସି ଏବଂ ଏସି ଚେୟାର କାର୍ରେ ବିନା ଭାଡ଼ାରେ ଯାତ୍ରା କରିପାରିବେ। ଏହାସହ ଯବାନଙ୍କ ସହ ଜଣେ ସହଯାତ୍ରୀ ମଧ୍ୟ ମାଗଣାରେ ଯାଇପାରିବେ।
ପରିବାରବର୍ଗଙ୍କ ପାଇଁ ସୁବିଧା: ଯବାନଙ୍କ ପତି/ପତ୍ନୀ ଏହି ସୁବିଧା ପାଇବେ। ଶହୀଦ ହୋଇଥିବା ଯବାନଙ୍କ ବିଧବା (ପୁନର୍ବାର ବିବାହ ନକରିବା ପର୍ଯ୍ୟନ୍ତ) ମାଗଣା ଯାତ୍ରା କରିପାରିବେ। ମରଣୋତ୍ତର ଭାବେ ପୁରସ୍କୃତ ଅବିବାହିତ ଯବାନଙ୍କ ପିତାମାତା ମଧ୍ୟ ଏହି ସୁବିଧାର ହକ୍ଦାର ହେବେ।
ପୂର୍ବରୁ କାହାକୁ ମିଳୁଥିଲା: ପୂର୍ବରୁ କେବଳ ୬ଟି ପ୍ରମୁଖ ‘ଚକ୍ର’ ପୁରସ୍କାର (ପରମବୀର ଚକ୍ର, ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ର) ବିଜେତାଙ୍କୁ ଏହି ଆଜୀବନ ମାଗଣା ସୁବିଧା ମିଳୁଥିଲା। ଏବେ ସେନା, ନୌସେନା ଓ ବାୟୁସେନା ମେଡାଲ୍ ବିଜେତାଙ୍କୁ ଏଥିରେ ସାମିଲ କରାଯାଇଛି।