ଭୁବନେଶ୍ୱର: ଆଜି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ନାରାବାଜି ଓ ହଟ୍ଟଗୋଳ ଦେଖିବାକୁ ମିଳିଛି । ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ଏବଂ ବିଜେଡି (BJD) ବିଧାୟକମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରବଳ ପ୍ରତିବାଦ କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।
ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ସଂଶୋଧିତ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ୍) ବା MMDR ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି ନାରାବାଜି କରିଥିଲେ। ବିଜେଡି ବିଧାୟକମାନେ ସ୍କୁଲ୍ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ଭୁଲ୍-ଭଟକା ପ୍ରସଙ୍ଗକୁ ଉତ୍ଥାପନ କରି ସରକାରଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ।
ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ୍ ଦେଉଥିବା ବେଳେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ସଦସ୍ୟମାନଙ୍କୁ ନିଜ ଆସନକୁ ଫେରିବା ଏବଂ ଗୃହର କାର୍ଯ୍ୟାଳୟ ଚାଲିବାକୁ ଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ହଙ୍ଗାମା ଜାରି ରହିବାରୁ ସେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଥିଲେ।