ପୁରୀ: ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପବିତ୍ର ବାମନ ଜନ୍ମ ଏବଂ ‘ବଳିବାମନ ବେଶ’ ଅନୁଷ୍ଠିତ ହୋଇଯାଇଛି। ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ବାମନ ଦେବଙ୍କ ଆବିର୍ଭାବ ଉତ୍ସବକୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧିବିଧାନ ସହ ପାଳନ କରାଯାଉଛି।
ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବାମନ ବେଶରେ, ଶ୍ରୀବଳଭଦ୍ର ରାଜବେଶରେ ଏବଂ ଦେବୀ ସୁଭଦ୍ରା ସାଧାରଣ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ପ୍ରଭୁ ବିଷ୍ଣୁ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିବାର ସ୍ମୃତିକୁ ବହନ କରି ଶହ ଶହ ବର୍ଷ ଧରି ଏହି ସ୍ୱତନ୍ତ୍ର ବେଶ ଓ ନୀତି ପାଳିତ ହୋଇଆସୁଛି। ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି।
ଅନ୍ୟପକ୍ଷରେ, ଏହି ଶୁଭ ଦିନରେ ଶ୍ରୀନଅରରେ ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କର ନୂଆ ଅଙ୍କ ଗଣନା ଏବଂ ରାଜକୀୟ ନବବର୍ଷ ‘ସୁନିଆଁ’ ଉତ୍ସବ ଆରମ୍ଭ ହୋଇଛି। ଆଜିଠାରୁ ଗଜପତି ମହାରାଜାଙ୍କ ଅଭିଷେକ ଶାସନର ୭୧ ଅଙ୍କ ଓ ୧୪୩୪ ସାଲ୍ ଆରମ୍ଭ ହୋଇଥିବାବେଳେ ନୂଆ ସାଲ ଓ ଅଙ୍କ ଉଲ୍ଲେଖ ଥିବା ସୁବର୍ଣ୍ଣ ମୁଦ୍ରା ପ୍ରଚଳିତ ହେବ। ପାରିଷଦ ବର୍ଗ ଏହି ଅବସରରେ ଗଜପତି ମହାରାଜଙ୍କୁ ସୁନିଆଁ ଭେଟି ପ୍ରଦାନ କରିଛନ୍ତି।