ପୁରୀ: ପୁରୀ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟଦଣ୍ଡର ପତିତପାବନ ବାନା ଉପରେ ଦୀର୍ଘ ସମୟ ଧରି ଏକ ଚିଲ ବସି ରହିବା ଦୃଶ୍ୟକୁ ନେଇ ଭକ୍ତ ଓ ସେବାୟତମାନଙ୍କ ମହଲରେ ବେଶ୍ ଚର୍ଚ୍ଚା ଜୋର୍ ଧରିଛି।
ବାନା ଉପରେ ଚିଲ ବସିବାକୁ କେତେକ ସେବାୟତ ଅଶୁଭ ସଙ୍କେତ ବୋଲି ମତ ଦେଉଥିବାବେଳେ ଆଉ କେତେକ ଏହାକୁ ମହାପ୍ରଭୁଙ୍କର କୌଣସି ବିଶେଷ ସଙ୍କେତ ବୋଲି କହୁଛନ୍ତି। ପୂର୍ବକାଳରୁ ଏଭଳି ଘଟଣାକୁ ପ୍ରାକୃତିକ ବିପର୍ଯ୍ୟୟ ବା ଦେଶରେ ଅଶାନ୍ତିର ସୂଚକ ଭାବେ ଆକଳନ କରାଯାଉଥିବା ନଜିର ରହିଛି।
ଅନ୍ୟପଟେ, ପାଣିପାଗ ବିଭାଗ ପକ୍ଷରୁ ଗଭୀର ଅବପାତ ଯୋଗୁଁ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ନେଇ ସୂଚନା ଦିଆଯାଇଥିବା ବେଳେ, ଗତ ମଙ୍ଗଳବାର ଶ୍ରୀମନ୍ଦିର ନୀଳଚକ୍ରରେ ଧବଳ (ଧଳା) ବାନା ଲାଗିଥିଲା।
ଯୁବ ଗବେଷକ ସୌମ୍ୟ ରଞ୍ଜନ ପଣ୍ଡାଙ୍କ ମତରେ, ବାତ୍ୟାର ପ୍ରଭାବକୁ ଦୂର କରିବା ପାଇଁ ମହାପ୍ରଭୁ ଏହି ଧବଳ ବାନା ମାଧ୍ୟମରେ ବିପତ୍ତିକୁ ଖଣ୍ଡନ କରିଛନ୍ତି। ବର୍ତ୍ତମାନ ଧବଳ ବାନା ପରେ ନୀଳଚକ୍ରରେ ଚିଲ ବସିବା ଘଟଣା ଆଗାମୀ ସମୟରେ କି ପ୍ରକାର ପରିସ୍ଥିତି ସୃଷ୍ଟି କରୁଛି, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।