ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଏକ ବିରାଟ ଗଣଧାରଣା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏହି ଆନ୍ଦୋଳନରେ ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ସରକାରଙ୍କ ଆଇନକୁ କଡ଼ା ସମାଲୋଚନା କରିଛନ୍ତି।
ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ ଯଥା ବିଜୁ ଯୁବ ଜନତା ଦଳ, ଛାତ୍ର ଜନତା ଦଳ, ମହିଳା ଜନତା ଦଳ ଏବଂ କୃଷକ ଜନତା ଦଳର ହଜାର ହଜାର କର୍ମୀ ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ଦଳର ବରିଷ୍ଠ ନେତାମାନେ ଅଭିଯୋଗ କରିଛନ୍ତି ଯେ ଏହି ସଂଶୋଧନ ଆଇନ ଦ୍ୱାରା ରାଜ୍ୟଗୁଡ଼ିକର ଖଣି ଏବଂ ପ୍ରାକୃତିକ ସମ୍ପଦ ଉପରେ ଥିବା ଅଧିକାର କ୍ଷୁର୍ଣ୍ଣ ହୋଇଛି।
ଦେଶର ସମୁଦାୟ ଖଣି ସମ୍ପଦର ପ୍ରାୟ ୪୪ ପ୍ରତିଶତ ଓଡ଼ିଶାରେ ଥିବାରୁ ଏହି ନୂତନ ଆଇନ ଯୋଗୁଁ ଓଡ଼ିଶା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ବେଳେ ବିଜେଡି ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଓଡ଼ିଶା ଯେଉଁ ବକେୟା ଟିକସ (ପ୍ରାୟ ୧ ଲକ୍ଷ କୋଟି ଟଙ୍କା) ଏବଂ ବାର୍ଷିକ ୧୨,୦୦୦ କୋଟି ଟଙ୍କାର ଅଧିକ ରାଜସ୍ୱ ପାଇବାର ସୁଯୋଗ ଥିଲା, ଏହି ଆଇନ ଯୋଗୁଁ ତାହା ନଷ୍ଟ ହୋଇଯାଇଛି ବୋଲି ଦଳ ଦାବି କରିଛି।
ଏହି ‘କଳା ଆଇନ’କୁ ପ୍ରତ୍ୟାହାର କିମ୍ବା ସ୍ଥଗିତ ରଖିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଏକ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାସ୍ କରନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି।