ଭୁବନେଶ୍ୱର: ଓଡ଼ିଶାର କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଦୀର୍ଘ ଦିନର କଳ୍ପନାଜଳ୍ପନା ଅନ୍ତଃ ହୋଇଛି। ରାଜ୍ୟରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣିଥରେ କଲେଜ୍ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗତ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଥିଲେ। ଏହି ବୈଠକ ପରେ ନିର୍ବାଚନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।
ନିର୍ବାଚନ କାର୍ଯ୍ୟସୂଚୀ:
ଅକ୍ଟୋବର ୭: ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।
ଅକ୍ଟୋବର ୯: ପ୍ରାର୍ଥୀପତ୍ର ଦାଖଲ କରାଯିବ।
ଅକ୍ଟୋବର ୧୫: ମତଦାନ ଏବଂ ସେହିଦିନ କିମ୍ବା ପରବର୍ତ୍ତୀ ସମୟରେ ଫଳାଫଳ ପ୍ରକାଶ ପାଇବ।
ଅକ୍ଟୋବର ୧୬: ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
ଦୀର୍ଘ ୮ ବର୍ଷ ଧରି କଲେଜ୍ କ୍ୟାମ୍ପସଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏହି ନିର୍ବାଚନ ମାଧ୍ୟମରେ ଛାତ୍ର ସମାଜରୁ ନେତୃତ୍ୱ ସୃଷ୍ଟି ହେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।