ଭୁବନେଶ୍ୱର: ଓଡ଼ିଶାରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଦେଶରେ ବିଧିବଦ୍ଧ ଭାବେ ଉତ୍ତର-ପୂର୍ବ ମୌସୁମୀ ବାୟୁ ସକ୍ରିୟ ହେବା ପାଇଁ ପାଣିପାଗ ଅନୁକୂଳ ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଭାରତର କେତେକ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶସାରା ମୁଖ୍ୟ ବର୍ଷା ଋତୁ ଆଣିଥାଏ, ତେବେ ଏହାର ପ୍ରତ୍ୟାବର୍ତ୍ତନ ପରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଆଗମନ କରିଥାଏ। ବିଶେଷକରି ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଏବଂ କେରଳ ଭଳି ଦକ୍ଷିଣ ଭାରତୀୟ ଅଞ୍ଚଳଗୁଡ଼ିକରେ ଏହି ମୌସୁମୀ ପ୍ରଭାବରେ ବ୍ୟାପକ ବର୍ଷା ହୋଇଥାଏ।
ଓଡ଼ିଶାରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେବା ପରେ ରାଜ୍ୟରେ ଆଗାମୀ ଦିନଗୁଡ଼ିକରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଶା କରାଯାଉଛି। ଏହାସହ ରାତ୍ରି କାଳୀନ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବା ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳଗୁଡ଼ିକରେ ଧୀରେ ଧୀରେ ଗୁଳୁଗୁଳି କମିବା ସହ ଶୀତର ପରଶ ଅନୁଭୂତ ହେବ। ତେବେ କେତେକ ସ୍ଥାନରେ ସ୍ଥାନୀୟ କାଳବୈଶାଖୀ କିମ୍ବା ସ୍ଵଳ୍ପ ବର୍ଷାର ସମ୍ଭାବନାକୁ ନେଇ ପାଣିପାଗ ବିଭାଗର ଆଗାମୀ ପୂର୍ବାନୁମାନ ଉପରେ ସମସ୍ତଙ୍କ ନଜର ରହିଛି।