ଭୁବନେଶ୍ୱର: ଓଡ଼ିଶାରେ ବର୍ଷା ଏବଂ କାଳବୈଶାଖୀର ପ୍ରଭାବ ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି। ବଜ୍ରପାତ, କୁଆପଥର ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ବିଭିନ୍ନ ଜିଲ୍ଲାକୁ ‘ୟେଲୋ ୱାର୍ନିଂ’ ଜାରି କରାଯାଇଛି।
IMD ର ମଧ୍ୟାହ୍ନ ବୁଲେଟିନ୍ ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୧ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।
ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଆଦି ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବା ନେଇ ସତକର୍କ କରାଯାଇଛି। ସେହିପରି ଅକ୍ଟୋବର ୨୦-୨୧ ମଧ୍ୟରେ ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ସତର୍କତା ଜାରି ରହିଛି।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ କନ୍ଧମାଳ ଆଦି ଜିଲ୍ଲାରେ ମଧ୍ୟ ବର୍ଷା ଜାରି ରହିବ।
ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଥିବାବେଳେ, ଆସନ୍ତା ଅକ୍ଟୋବର ୨୩ ତାରିଖରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।