କଟକ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅଧୀନସ୍ଥ ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚମେଲୀ ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଓଡ଼ିଶା ହାଇକୋର୍ଟ ବାତିଲ କରିଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟାରେ ଆଇନଗତ ଓ ନିୟମାବଳୀର ଉଲ୍ଲଂଘନ ହୋଇଥିବା ଦର୍ଶାଇ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।
ତିଖିରୀ ଗ୍ରାମପଞ୍ଚାୟତର ମୋଟ ୨୨ ଜଣ ୱାର୍ଡ଼ ମେମ୍ବରଙ୍କ ମଧ୍ୟରୁ ୨୧ ଜଣ ସରପଞ୍ଚ ଚମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଅଗଷ୍ଟ ୧୩ ତାରିଖରେ ଅନାସ୍ଥା ଭୋଟ୍ ଗ୍ରହଣ ପାଇଁ ତାରିଖ ନିର୍ଦ୍ଧାରିତ କରାଯାଇଥିଲା। ତେବେ ଏହି ପ୍ରକ୍ରିୟାରେ ବେଆଇନ କାର୍ଯ୍ୟ ହୋଇଥିବା ଦର୍ଶାଇ ସରପଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଗ୍ରାମପଞ୍ଚାୟତ ଆଇନର ଧାରା ୨୪ ଅନୁଯାୟୀ, ଅନାସ୍ଥା ପ୍ରସ୍ତାବ ଆଣିବା ସମୟରେ ନୋଟିସ୍, ସଙ୍କଳ୍ପ ଏବଂ ରେକ୍ୱିଜିସନ୍ର କପି ସରପଞ୍ଚଙ୍କୁ ପ୍ରଦାନ କରିବା ବାଧ୍ୟତାମୂଳକ। ଏହାସହ ସରପଞ୍ଚଙ୍କୁ ଭୋଟ୍ ପାଇଁ ପ୍ରସ୍ତୁତ ହେବାକୁ ଅତିକମରେ ୧୫ ଦିନର ନୋଟିସ୍ ପିରିୟଡ୍ ଦିଆଯିବା କଥା। ଚମେଲୀ ଓଝା କୋର୍ଟରେ ଅଭିଯୋଗ କରିଥିଲେ ଯେ, ପ୍ରଶାସନ ପକ୍ଷରୁ ଏହିସବୁ ନିୟମର କୌଣସି ପାଳନ କରାଯାଇନଥିଲା।
ମାମଲାର ବିଚାର କରି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଯେଉଁ ନିୟମ ଓ ପ୍ରାବଧାନ ରହିଛି, ତାହାକୁ ପ୍ରଶାସନ ସଠିକ୍ ଭାବେ ଅନୁସରଣ କରିନାହିଁ। ତେଣୁ ଏହି ଅନାସ୍ଥା ପ୍ରସ୍ତାବ ଅସିଦ୍ଧ ଓ ବେଆଇନ। କୋର୍ଟଙ୍କ ଏହି ରାୟ ପରେ ସରପଞ୍ଚ ଚମେଲୀ ଓଝାଙ୍କୁ ବଡ଼ ଆଶ୍ୱାସନା ମିଳିଛି।