ଚେନ୍ନାଇ: ତାମିଲନାଡୁର ଆଗାମିକ (Agamic) ହିନ୍ଦୁ ମନ୍ଦିରଗୁଡ଼ିକରେ ଅଣ-ହିନ୍ଦୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ମାଦ୍ରାସ ହାଇକୋର୍ଟ ଏକ ସ୍ପଷ୍ଟ ଓ ଗୁରୁତ୍ୱପୂର୍ଣ୍ଣ ଆଦେଶ ପ୍ରଦାନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ମାଦୁରାଇର ପ୍ରସିଦ୍ଧ ମୀନାକ୍ଷୀ ଆମ୍ମାନ୍ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ସେଠାରେ ତାଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ କୁହାଯାଇନଥିଲା, ବରଂ କେବଳ ମନ୍ଦିରର ଆରାଧ୍ୟ ଦେବତାଙ୍କ ପ୍ରତି ଆସ୍ଥା ପ୍ରକଟ କରିବାକୁ ନିବେଦନ କରାଯାଇଥିଲା।
ବିଚାରପତି ଜି.ଆର୍. ସ୍ୱାମୀନାଥନ୍ ଏବଂ ବିଚାରପତି ପି. ମୁରୁଗାନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, “ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ହୋଇଥିଲେ ହେଁ ତାଙ୍କୁ ହିନ୍ଦୁ ଧର୍ମାନ୍ତରିତ ହେବାକୁ କୁହାଯାଇନଥିଲା। କେବଳ ଠାକୁରଙ୍କ ପ୍ରତି ତାଙ୍କର ଆଦର ଓ ବିଶ୍ୱାସ ଦର୍ଶାଇବାକୁ ଅନୁରୋଧ କରାଯାଇଥିଲା। ଏହାକୁ ହିଁ ଆମେ ସମାବେଶୀ ଆଭିମୁଖ୍ୟ ବୋଲି କହିଥାଉ।”
ମାଦ୍ରାସ ହାଇକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ତାମିଲନାଡୁର ଆଗାମିକ ମନ୍ଦିରଗୁଡ଼ିକର ‘କୋଡିମରମ୍’ (ପତାକା ଖୁଣ୍ଟ) ପାର ହୋଇ ମୁଖ୍ୟ ମନ୍ଦିର ଭିତରକୁ ଯିବାକୁ ଚାହୁଁଥିବା ଯେକୌଣସି ଅଣ-ହିନ୍ଦୁଙ୍କୁ ଏକ ଚୁକ୍ତିପତ୍ର/ଘୋଷଣାପତ୍ର ଦେବାକୁ ପଡ଼ିବ। ଏହି ଘୋଷଣାପତ୍ରରେ ସେମାନେ ମନ୍ଦିରର ଆରାଧ୍ୟ ଦେବତାଙ୍କ ପ୍ରତି ନିଜର ଆସ୍ଥା ଏବଂ ହିନ୍ଦୁ ଧର୍ମର ରୀତିନୀତି, ପରମ୍ପରା ଓ ନିୟମ ମାନି ଚଳିବାକୁ ସମ୍ମତି ପ୍ରକାଶ କରିବେ। ଏହି ସର୍ତ୍ତ ପୂରଣ ନକଲେ କୌଣସି ଅଣ-ହିନ୍ଦୁଙ୍କୁ ଆଗାମିକ ମନ୍ଦିର ପରିସର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ବିଜୟ ମୀନାକ୍ଷୀ ସୁନ୍ଦରେଶ୍ୱରର ମନ୍ଦିରରେ ନିଜ ଆସ୍ଥା ଘୋଷଣାପତ୍ର ସ୍ୱାକ୍ଷର କରି ମୁଖ୍ୟ ଦେବତାଙ୍କ ଦର୍ଶନ କରିଥିଲେ। ପୂର୍ବରୁ ଏପ୍ରିଲ ମାସରେ ତିରୁଚେନ୍ଦୁର ମୁରୁଗାନ୍ ମନ୍ଦିରରେ ମଧ୍ୟ ସେ ସମାନ ନିୟମ ପାଳନ କରିଥିଲେ।
ମାଦୁରାଇର ବାସିନ୍ଦା ଥଙ୍ଗମ୍ ଭେଙ୍କଟେଶଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଆଦେଶ ଦେଇଛନ୍ତି। ମନ୍ଦିରର ନିୟମ ଓ ପରମ୍ପରାକୁ କୌଣସି ବିଜ୍ଞାପନ କିମ୍ବା ରାଜନୈତିକ ସ୍ୱାର୍ଥ ପାଇଁ ଭଙ୍ଗ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ତେବେ ଏହି ଆଦେଶ କେବଳ ଆଗାମିକ ମନ୍ଦିର ପାଇଁ ଲାଗୁ ହେବ ଏବଂ ଶିରିଡ଼ି ସାଈ ବାବା ମନ୍ଦିର ଭଳି ସର୍ବଧର୍ମ ସମ୍ମାନ ପୀଠ ପାଇଁ ଏହା ଲାଗୁ ହେବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।