ଗୁଜରାଟ: ଗୁଜରାଟର ଏକତା ନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପରିସରରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ପର୍ଯ୍ୟଟନ ଆକର୍ଷଣ। ଭାରତର ସାଂସ୍କୃତିକ ବିବିଧତା, ବନ୍ୟଜନ୍ତୁ, ଐତିହ୍ୟ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ପ୍ରଦର୍ଶିତ କରୁଥିବା ୨.୬୨ କିଲୋମିଟର ବିଶିଷ୍ଟ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’ ଜଙ୍ଗଲ ଇକୋ-ଟ୍ରେଲ୍ର ଉଦ୍ଘାଟନ ହେବାକୁ ଯାଉଛି। ରାଷ୍ଟ୍ରୀୟ ଏକତା ଦିବସ (ଅକ୍ଟୋବର ୩୧) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଆନୁଷ୍ଠାନିକ ଉଦ୍ଘାଟନ କରିବେ।
ଲିମ୍ବଡ଼ି ଗ୍ରାମ ନିକଟରେ ସ୍ଲାଚ୍ୟୁ ଅଫ୍ ୟୁନିଟି ଏରିଆ ଡେଭଲପମେଣ୍ଟ ଆଣ୍ଡ ଟୁରିଜିମ୍ ଗଭର୍ଣ୍ଣାନ୍ସ ଅଥରିଟି ଦ୍ୱାରା ପ୍ରସ୍ତୁତ ଏହି ଇକୋ-ଟ୍ରେଲ୍ରେ ୫ଟି ସ୍ୱତନ୍ତ୍ର ଭାଗ ରହିଛି:
ବନ୍ୟପ୍ରାଣୀ ଓ ପ୍ରକୃତି
ଯୁବବର୍ଗ
ମହିଳା ସଶକ୍ତୀକରଣ
ଐତିହ୍ୟ
ଆଧ୍ୟାତ୍ମିକତା
ସବୁଜିମାରେ ଘେରା ଏହି ପ୍ରାକୃତିକ ପରିବେଶରେ ବୁଲିବା ସହ ଶିକ୍ଷଣୀୟ ଅନୁଭୂତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରବେଶ ପଥ, ପାର୍କିଂ, ଟିକେଟ୍ କାଉଣ୍ଟର, ୱାଚ୍ଟାୱାର୍, ଗାଜେବୋ, ପାନୀୟ ଜଳ ଏବଂ ବିଶ୍ରାମ ସ୍ଥଳ ନିର୍ମାଣ କରାଯାଇଛି। ୱାକିଂ ଟୁଅର୍ ଏବଂ ଟ୍ରେକିଂ ଜରିଆରେ ପର୍ଯ୍ୟଟକମାନେ ଜୈବବିବିଧତା ସମ୍ପର୍କରେ ଜାଣିପାରିବେ।
ସରଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଉଦ୍ଘାଟିତ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାର ବୃଦ୍ଧି ପାଇବା ସହ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଅଧିକ ସମୟ ଏକତା ନଗରରେ ବିତାଇପାରିବେ।