ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତିକୁ ନେଇ ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବନାସକାଂଠାରୁ ସିଧାସଳଖ ଡିଜିଟାଲ୍ ବଟନ୍ ଦବାଇ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଯୋଗ୍ୟ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏଁ ପଠାଇଛନ୍ତି।
ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ୍ରେ ବନାସକାଂଠାରେ ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବା ସହ ପ୍ରଧାନମନ୍ତ୍ରୀ ଏହି କିସ୍ତି ଜାରି କରିଥିଲେ। ଏହି ନୂତନ କିସ୍ତି ଜରିଆରେ ଦେଶର ୯.୩୪ କୋଟିରୁ ଅଧିକ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୧୮,୬୯୦ କୋଟିରୁ ଅଧିକ (ପ୍ରାୟ ୧୯,୦୦୦ କୋଟି) ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି।
ଖାତାକୁ ଟଙ୍କା ଆସିଛି କି ନାହିଁ? ଏମିତି ଯାଞ୍ଚ କରନ୍ତୁ ଷ୍ଟାଟସ୍:
ଯଦି ଆପଣ ଏହି ଯୋଜନାର ଯୋଗ୍ୟ ହିତାଧିକାରୀ ଏବଂ ଖାତାକୁ କିସ୍ତି ଟଙ୍କା ପହଞ୍ଚିଛି କି ନାହିଁ ଜାଣିବାକୁ ଚାହୁଁଛନ୍ତି, ତେବେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ:
୧. ପ୍ରଥମେ ପୋର୍ଟାଲ୍ pmkisan.gov.in କୁ ଯାଆନ୍ତୁ।
୨. ହୋମ୍ପେଜ୍ରେ ଥିବା ‘Farmers Corner’ ସେକ୍ସନ୍କୁ ଯାଇ ‘Know Your Status’ ଉପରେ କ୍ଲିକ୍ କରନ୍ତୁ।
୩. ନିଜର ରେଜିଷ୍ଟ୍ରେସନ୍ ନମ୍ବର ଏବଂ ସ୍କ୍ରିନ୍ରେ ଦିଆଯାଇଥିବା କ୍ୟାପ୍ଚା କୋଡ୍ ପୂରଣ କରନ୍ତୁ।
୪. ଓଟିପି ସାହାଯ୍ୟରେ ସତ୍ୟାପନ କରିବା ପରେ ନିଜର ‘Payment Status’ ଦେଖିପାରିବେ।
୫. ଏହାସହ ନିଜ ବ୍ୟାଙ୍କ୍ର ଏସ୍ଏମ୍ଏସ୍, ମୋବାଇଲ୍ ବ୍ୟାଙ୍କିଂ ଆପ୍ କିମ୍ବା ପାସ୍ବୁକ୍ ଅପ୍ଡେଟ୍ କରି ଟଙ୍କା ଆସିବା ସମ୍ପର୍କରେ ନିଶ୍ଚିତ ହୁଅନ୍ତୁ।
ଟଙ୍କା ନଆସିଲେ କ’ଣ କରିବେ: ଯଦି ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ, ତେବେ ଆପଣଙ୍କର e-KYC ଏବଂ ଜମି ସମ୍ପର୍କିତ ତଥ୍ୟ ସଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ। ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର 155261 କିମ୍ବା 011-24300606 ରେ ଯୋଗାଯୋଗ କରିପାରିବେ। ଏହାଛଡ଼ା ପୋର୍ଟାଲ୍ରେ ଥିବା ‘କିସାନ ଇ-ମିତ୍ର’ ଚାଟ୍ବୋଟ୍ର ମଧ୍ୟ ସାହାଯ୍ୟ ନେଇପାରିବେ।