ନୂଆଦିଲ୍ଲୀ: ସାରା ଦେଶରେ ବହୁ ପ୍ରତୀକ୍ଷିତ ‘ଜନଗଣନା ୨୦୨୭’ର ତାରିଖ ଓ ସମୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ନିର୍ବାଚନ ହେବାକୁ ଥିବା ରାଜ୍ୟ ଏବଂ ପ୍ରବଳ ବରଫାବୃତ ଅଞ୍ଚଳକୁ ଛାଡ଼ି ସାରା ଭାରତରେ ୨୦୨୭ ଜାନୁଆରୀ ୨୫ ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ସମ୍ପାଦିତ ହେବ।
ଭାରତର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ଦ୍ୱାରା ଶୁକ୍ରବାର ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ଜନଗଣନାର ରେଫରେନ୍ସ ତାରିଖ ୨୦୨୭ ମାର୍ଚ୍ଚ ୧ ତାରିଖ ରାତି ୧୨ଟା ଧାର୍ଯ୍ୟ କରାଯାଇଛି।
ନିଜେ ଅନଲାଇନ୍ରେ ତଥ୍ୟ ଦେବା ପାଇଁ ୨୦୨୭ ଜାନୁଆରୀ ୧୦ ରୁ ଜାନୁଆରୀ ୨୪ ପର୍ଯ୍ୟନ୍ତ ସୁଯୋଗ ମିଳିବ। ୨୦୨୭ ଜାନୁଆରୀ ୨୫ ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରର ତଥ୍ୟ ସଂଗ୍ରହ କରାଯିବ। ୨୦୨୭ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଚୂଡ଼ାନ୍ତ ଯାଞ୍ଚ ଓ ସଂଶୋଧନ ହେବ।
ଆଗାମୀ ବର୍ଷ ପ୍ରଥମ ଭାଗରେ ସାଧାରଣ ନିର୍ବାଚନ ହେବାକୁ ଥିବା ରାଜ୍ୟ ଯଥା— ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ସମେତ ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରର ପ୍ରବଳ ବରଫାବୃତ ସ୍ଥାନ ଏବଂ ଲଦାଖରେ ଏହି ସମୟ ମଧ୍ୟରେ ଗଣନା ହେବନାହିଁ। ଏହି ଅଞ୍ଚଳଗୁଡ଼ିକ ପାଇଁ ପରବର୍ତ୍ତୀ ସମୟରେ ପୃଥକ୍ ତାରିଖ ଘୋଷଣା କରାଯିବ।
ସ୍ୱାଧୀନତା ପରେ ଏହା ଭାରତର ୮ମ ଜନଗଣନା। ନିୟମାନୁଯାୟୀ ୨୦୨୧ ରେ ଏହା ହେବାର ଥିଲା, ମାତ୍ର କୋଭିଡ୍-୧୯ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର କ୍ୟାବିନେଟ୍ ଏହି ବିଶାଳ ଜନଗଣନା କାର୍ଯ୍ୟ ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୧ ରେ ଭାରତର ଶେଷ ଜନଗଣନା ହୋଇଥିଲା, ଯେଉଁଥିରେ ଦେଶର ମୋଟ ଜନସଂଖ୍ୟା ୧୨୧ କୋଟି (୬୨.୩୨ କୋଟି ପୁରୁଷ ଓ ୫୮.୭୫ କୋଟି ମହିଳା) ଏବଂ ମୋଟ ୨୪.୯୫ କୋଟି ପରିବାର ଥିଲେ।