ଡେରାଡୁନ୍: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ଯୋଶୀମଠ ନିକଟସ୍ଥ ‘ଚାଇ’ ଗାଁ ପାଖରେ ଶୁକ୍ରବାର ଗୋଟିଏ ବେସରକାରୀ ସଂସ୍ଥାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବଦ୍ରିନାଥ ଏବଂ ଯୋଶୀମଠ ମଧ୍ୟବର୍ତ୍ତୀ ବିଷ୍ଣୁପ୍ରୟାଗ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ବେଳେ ହେଲିକପ୍ଟରରେ ୬ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ଘଟଣା ପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ପକ୍ଷରୁ ବ୍ୟାପକ ସର୍ଚ୍ଚ ଆଣ୍ଡ୍ ରେସକ୍ୟୁ ଅପରେସନ୍ ଆରମ୍ଭ କରାଯାଇଛି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଗୁରୁତର ଦୁର୍ଘଟଣା ସମ୍ପର୍କରେ ନିଜେ ସମୀକ୍ଷା କରୁଥିବା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘X’ ରେ ପୋଷ୍ଟ କରି ସେ ଲେଖିଛନ୍ତି, “ଯୋଶୀମଠ ନିକଟ ଚାଇ ଗାଁ ପାଖରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଃଖଦ ଖବର ମିଳିଛି। ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ SDRF ପକ୍ଷରୁ ମିଳିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତର ଆହତ ଯାତ୍ରୀଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”
ଚମୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦକିଶୋର ଯୋଶୀଙ୍କ ଅନୁଯାୟୀ, ଜେପି ଡ୍ୟାମ୍ ଉପରିସ୍ଥ ଜଙ୍ଗଲରେ ଏକ ଧଳା ରଙ୍ଗର ଜିନିଷ ଜଳୁଥିବାର ଦେଖାଯାଇଛି, ଯାହା ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳ ଚିହ୍ନଟ ପାଇଁ ଅନ୍ୟ ହେଲିକପ୍ଟର ଜରିଆରେ ଆକାଶମାର୍ଗରୁ ନଜର ରଖାଯାଉଛି। ତେବେ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଘନ କୁହୁଡ଼ି ଯୋଗୁଁ ଉଦ୍ଧାର କାର୍ଯ୍ୟରେ କଠିନ ଆହ୍ୱାନ ସୃଷ୍ଟି ହୋଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ‘ଟ୍ରାନ୍ସ ଭାରତ ଆଭିଏସନ୍’ ଦ୍ୱାରା ପରିଚାଳିତ ଏହି ହେଲିକପ୍ଟର ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ୧୨ ମିନିଟ୍ରେ ବଦ୍ରିନାଥରୁ ଉଡ଼ାଣ ଭରିଥିଲା। ଯୋଶୀମଠ ବିପରୀତ ହାତୀ ପାହାଡ଼ ଉପରେ ଥିବା ସେନା ପୋଷ୍ଟ ନିକଟରେ ଏହାର ଶେଷ ସମ୍ପର୍କ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସରେ ଉତ୍ତରାଖଣ୍ଡର ଚାରିଧାମ ରୁଟ୍ରେ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବାର ଏହା ତୃତୀୟ ଘଟଣା। ପୂର୍ବରୁ ଖରାପ ପାଣିପାଗ ଯୋଗୁଁ ରୁଦ୍ରପ୍ରୟାଗରେ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟିହରୀରେ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିଲା।