ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଦ୍ରୁତଗତିରେ ଶକ୍ତି ସଞ୍ଚୟ କରୁଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ସିଷ୍ଟମ୍ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି।
ସିଷ୍ଟମ୍ଟି ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେବ।
ଏହି ପ୍ରଣାଳୀର ପ୍ରଭାବରେ IMD ପକ୍ଷରୁ ଅକ୍ଟୋବର ୩୧ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ପବନ ଓ ସମୁଦ୍ରର ଅଶାନ୍ତ ସ୍ଥିତି ନେଇ ଆଲର୍ଟ ଜାରି କରାଯାଇଛି ।ଅକ୍ଟୋବର ୩୧ ଅପରାହ୍ନ ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିମି (ଝଟକା ପବନ ୬୦ କିମି) ପହଞ୍ଚିବ। ନଭେମ୍ବର ୧ ରୁ ୨ ମଧ୍ୟରେ ପବନର ବେଗ ୪୫ ରୁ ୫୫ କିମି (ଝଟକା ୬୫ କିମି) ରହିବ।
ନଭେମ୍ବର ୨ ସକାଳରୁ ପବନର ବେଗ ୪୦ ରୁ ୫୦ କିମି (ଝଟକା ୬୦ କିମି) ରହିବା ସହ ସନ୍ଧ୍ୟା ସୁଦ୍ଧା ଏହା ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦ ରୁ ୬୦ କିମି (ଝଟକା ୭୦ କିମି) ରେ ପହଞ୍ଚିବ।ନଭେମ୍ବର ୨ ରୁ ୩ ମଧ୍ୟରେ ସମୁଦ୍ର ଭିତରେ ପବନର ବେଗ ୫୦ ରୁ ୬୦ କିମିରୁ ବୃଦ୍ଧି ପାଇ ଘଣ୍ଟାପ୍ରତି ୭୦ କିମି ଛୁଇଁପାରେ।
ସମୁଦ୍ର ସ୍ଥିତି ଅତ୍ୟନ୍ତ ଅଶାନ୍ତ ଓ ଭୟଙ୍କର ରହିବାକୁ ଥିବାରୁ IMD ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡ଼ା ପରାମର୍ଶ ଦିଆଯାଇଛି।