ନୂଆଦିଲ୍ଲୀ: ଭୋଟର ତାଲିକାରେ ପ୍ରଥମ ଥର ପାଇଁ ନାମ ପଞ୍ଜୀକରଣ କରୁଥିବା ନୂଆ ଭୋଟରମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି ଭାରତୀୟ ନାଗରିକମାନେ ଫର୍ମ-୬ ସହ ଅତିରିକ୍ତ ଡିକ୍ଲାରେସନ୍ ବା ‘Annexure-D’ ଦେବାକୁ ପଡ଼ିବ ନାହିଁ। ବିବାଦ ଏବଂ ଅସନ୍ତୋଷ ପରେ ନିର୍ବାଚନ କମିଶନ ଏହି ବାଧ୍ୟତାମୂଳକ ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି।
କମିଶନଙ୍କ ପକ୍ଷରୁ ଗତ ସେପ୍ଟେମ୍ବର ୨୬, ୨୦୨୬ରେ ଜାରି କରାଯାଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ଯେଉଁ ରାଜ୍ୟଗୁଡ଼ିକରେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି, ସେଠାରେ ECINET ପୋର୍ଟାଲରୁ ଫର୍ମ-୬ ସହ ସଂଯୁକ୍ତ ଅତିରିକ୍ତ ଡିକ୍ଲାରେସନ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି।
ଯେତେବେଳେ କୌଣସି ଭାରତୀୟ ନାଗରିକ ପ୍ରଥମ ଥର ପାଇଁ ଭୋଟର ଭାବେ ନିଜ ନାମ ପଞ୍ଜୀକରଣ କରନ୍ତି, ସେତେବେଳେ ଅନ୍ଲାଇନ୍ ବା ଅଫ୍ଲାଇନ୍ ଜରିଆରେ ଫର୍ମ-୬ ପୂରଣ କରିବାକୁ ପଡ଼ିଥାଏ।
ଏସଆଇଆର୍ (SIR) ପ୍ରକ୍ରିୟା ସମୟରେ ଫର୍ମ-୬ ସହ ଏକ ଅତିରିକ୍ତ ଡିକ୍ଲାରେସନ୍ ଯୋଡ଼ାଯାଇଥିଲା, ଯେଉଁଥିରେ ଆବେଦନକାରୀଙ୍କୁ ପୁରୁଣା ଭୋଟର ତାଲିକାରେ ନିଜର, ପିତାମାତା କିମ୍ବା ଜେଜେବାପା-ଜେଜେମା’ଙ୍କ ନାମ ଥିବା ନେଇ ତଥ୍ୟ ଦେବାକୁ ପଡ଼ୁଥିଲା।
ଏହି ଅତିରିକ୍ତ ଡିକ୍ଲାରେସନ୍କୁ ନେଇ ନିର୍ବାଚନ କମିଶନରମାନେ ମଧ୍ୟ ଆପତ୍ତି ଉଠାଇଥିଲେ ଯେ, ଆଇନଗତ ପ୍ରକ୍ରିୟା ବିନା ଏଭଳି ଅତିରିକ୍ତ ନିୟମ ଯୋଡ଼ାଯାଇପାରିବ ନାହିଁ। ଏପରିକି ଅନ୍ଲାଇନ୍ରେ ଏହା ‘ଅଣଆବଶ୍ୟକ’ ଦର୍ଶାଯାଇଥିଲେ ହେଁ ଏହା ବିନା ଆବେଦନ ଆଗକୁ ବଢ଼ିବାରେ ସମସ୍ୟା ହେଉଥିଲା।
ବର୍ତ୍ତମାନ ଏହି ଅତିରିକ୍ତ ଡିକ୍ଲାରେସନ୍ ହଟିଯିବାଫଳରେ ନୂଆ ଭୋଟରମାନେ ପୂର୍ବଭଳି ସହଜରେ କେବଳ ସାଧାରଣ ଫର୍ମ-୬ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ।