ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କନ୍ନଟ୍ ପ୍ଲେସ୍ ସେଣ୍ଟ୍ରାଲ ପାର୍କଠାରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଆହୂତ ‘ଲେହରା ଦୋ ତିରଙ୍ଗା’ ପ୍ରତିବାଦକୁ ନେଇ ଶୁକ୍ରବାର ଦିନ ବ୍ୟାପକ ଉତ୍ତେଜନା ଏବଂ ରାଜନୈତିକ ଘମାସାନ ଦେଖିବାକୁ ମିଳିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ CJP ପ୍ରତିଷ୍ଠାତା ଅଭିଜୀତ ଦିପକେ, AISA ଅଧ୍ୟକ୍ଷା ନେହା ବୋରା ଏବଂ ୧୫୦ରୁ ଅଧିକ କର୍ମୀଙ୍କୁ ପୋଲିସ ହେରସତକୁ ନେଇଛି।
ସନ୍ଧ୍ୟା ୫ଟାରେ ହେବାକୁଥିବା ଏହି ସମାବେଶ ପୂର୍ବରୁ ପୋଲିସ ଅଭିଜୀତ ଦିପକେଙ୍କୁ ଅଟକ ରଖିଥିଲା। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଶହ ଶହ CJP କର୍ମୀ ଓ ଛାତ୍ର କର୍ମୀମାନେ କନ୍ନଟ୍ ପ୍ଲେସ୍ ଓ ଆଖପାଖ ଅଞ୍ଚଳରେ ଜାତୀୟ ପତାକା ଧରି ‘ଜୟ ହନ୍ଦ୍’ ସ୍ଲୋଗାନ୍ ଦେଇ ପ୍ରତିବାଦ ଜାରି ରଖିଥିଲେ। ମଣ୍ଡି ହାଉସ୍ ନିକଟରେ AISA କର୍ମୀମାନେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରି ପ୍ରଦର୍ଶନ କରିଥିବାବେଳେ ପୋଲିସ ସହ ଧସ୍ତିଧସ୍ତି ମଧ୍ୟ ହୋଇଥିଲା। ସେହିପରି ଆମ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ରାଷ୍ଟ୍ରପତି ଭବନ ନିକଟରେ ତିରଙ୍ଗା ମାର୍ଚ୍ଚ କରାଯାଇଥିଲା।
କନ୍ନଟ୍ ପ୍ଲେସ୍ ସେଣ୍ଟ୍ରାଲ ପାର୍କକୁ ସମ୍ପୂର୍ଣ୍ଣ ସିଲ୍ କରାଯିବା ସହ ପଟେଲ ଚୌକ, ଆଇଟିଓ ଏବଂ ସଂସଦ ମାର୍ଗରେ ବ୍ୟାରିକେଡ୍ କରାଯାଇଥିଲା। ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ୬ ହଜାରରୁ ଅଧିକ ପୋଲିସ କର୍ମଚାରୀ, ୨୨୦ କମ୍ପାନୀ ସିଏପିଏଫ୍ ଏବଂ ସିସିଟିଭି ନେଟୱାର୍କ ମାଧ୍ୟମରେ କଡ଼ରା ନଜର ରଖାଯାଇଥିଲା। ଭାରତୀୟ ନାଗରିକ ସୁରକ୍ଷା ସଂହିତା ର ଧାରା ୧୬୩ ଅନୁଯାୟୀ ଶୁକ୍ରବାର ଓ ଶନିବାର ପାଇଁ କଟକଣା ଜାରି ରହିଛି।
ଏହି ଗିରଫଦାରୀକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ଏବଂ ସହଯୋଗୀ ଦଳଗୁଡ଼ିକୁ କଟାକ୍ଷ କରି ଯୁବପିଢ଼ିଙ୍କୁ ଅରାଜକତା ଆଡ଼କୁ ଠେଲୁଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗିରଫଦାରୀକୁ ‘ଏକଛତ୍ରବାଦ’ ଏବଂ ଗଣତନ୍ତ୍ରର ଗଳାଚାଟିବା ବୋଲି ଦର୍ଶାଇ ତୀବ୍ର ନିନ୍ଦା କରିଛନ୍ତି।