ଭୁବନେଶ୍ୱର: ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ (DCP) ଜଗମୋହନ ମୀନାଙ୍କ ଇସ୍ତଫା ପତ୍ରକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ତାଙ୍କ ଇସ୍ତଫା ପତ୍ରକୁ ଅନୁମୋଦନ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟକୁ ସୁପାରିସ ପଠାଇଥିଲେ। କେନ୍ଦ୍ରର ସ୍ୱୀକୃତି ପରେ ତାଙ୍କର ଇସ୍ତଫା ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଶେଷ ହୋଇଛି।
ସୂଚନାଯୋଗ୍ୟ, ଗତ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ବରିଷ୍ଠ ଆଇପିଏସ୍ (IPS) ଅଧିକାରୀ ଜଣକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ପଠାଇବା ପରେ, ତାଙ୍କର ଏହି ହଠାତ୍ ନିଷ୍ପତ୍ତିକୁ ନେଇ ପ୍ରଶାସନିକ ଓ ରାଜନୈତିକ ହଲଚଲ ସହ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ରାଜସ୍ଥାନରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କର ଏକ ଘରୋଇ ଅନୁଷ୍ଠାନରେ ଯୋଗ ଦେବାର ସମ୍ଭାବନା ରହିଛି।
ଆଇପିଏସ୍ ଜଗମୋହନ ମୀନା ଓଡ଼ିଶା କ୍ୟାଡରର ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ। ସେ ପୂର୍ବରୁ ଅନୁଗୋଳ ଏସପି (SP) ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇବା ପରେ ଗଞ୍ଜାମ ଜିଲ୍ଲାର ଏସପି ଏବଂ ପରବର୍ତ୍ତୀ ସମୟରେ କଟକ ଡିସିପି (DCP) ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ ୨୦୨୫ ଫେବ୍ରୁଆରୀ ୨୮ ତାରିଖରେ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।