ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନ୍ (ଇରାନ) ସହ ଏକ କୂଟନୈତିକ ସମାଧାନର ସଙ୍କେତ ଦେଉଥିବା ବେଳେ, ଅନ୍ୟପଟେ ଆମେରିକୀୟ ସେନା ଇରାନର ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କେଶ୍ମ ଦ୍ୱୀପ ଉପରେ ପୁଣି ଥରେ ଏୟାରଷ୍ଟ୍ରାଇକ୍ କରିଛି। ଦୀର୍ଘ ୮ ମାସ ଧରି ଚାଲିଥିବା ଏହି ସଂଘର୍ଷ ମଧ୍ୟରେ ଏହି ଆକ୍ରମଣ ଏକ ନୂତନ ମୋଡ଼ ଆଣିଦେଇଛି।
‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ଅନାମିତ ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ କରିଛି ଯେ, ଗତ କିଛି ସପ୍ତାହ ହେବ ଆମେରିକା ପକ୍ଷରୁ କରାଯାଉଥିବା ସୀମିତ ଏବଂ ଅଘୋଷିତ ସାମରିକ ଅଭିଯାନର ଅଂଶବିଶେଷ ଭାବେ ସୋମବାର କେଶ୍ମ ଦ୍ୱୀପ ଉପରେ ଆକ୍ରମଣ କରାଯାଇଛି।
ଇରାନର ସରକାରୀ ସମ୍ବାଦ ସଂସ୍ଥା ‘ଆଇଆର୍ଏନ୍ଏ’ ର ରିପୋର୍ଟ ଅନୁଯାୟୀ, ହୋରମୁଜ ପ୍ରଣାଳୀର ସବୁଠାରୁ ବଡ଼ ଦ୍ୱୀପ କେଶ୍ମରେ କ୍ରମାଗତ ୫ଟି ବଡ଼ ଧରଣର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ସ୍ଥାନୀୟ ଅଧିବାସୀମାନେ ମଧ୍ୟ ଆକାଶରେ ଦୁଇଟି ଯୁଦ୍ଧବିମାନ ଉଡ଼ୁଥିବାର ଦେଖିବାକୁ ପାଇଛନ୍ତି।
ଆମେରିକୀୟ ଅଧିକାରୀମାନେ ଏହି ଆକ୍ରମଣକୁ ଆତ୍ମରକ୍ଷାମୂଳକ ବୋଲି ଦର୍ଶାଇଛନ୍ତି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ଯୋଗାଣ ପଥ ‘ହୋରମୁଜ ପ୍ରଣାଳୀ’ ଦେଇ ଯାତାୟାତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ଇରାନର ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୂର୍ଣ୍ଣ ଯୁଦ୍ଧ ପରିସ୍ଥିତିକୁ ଏଡ଼ାଇବା ପାଇଁ ୱାଶିଂଟନ୍ ଏହି ସାମରିକ ଅଭିଯାନକୁ ଗୁପ୍ତ ରଖିବାକୁ ଚେଷ୍ଟା କରିଥିଲା।
ଏସବୁ ସତ୍ତ୍ୱେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ଯେ ତେହେରାନ୍ ସହ ଏକ କୂଟନୈତିକ ଚୁକ୍ତି “ସମ୍ଭବ ହୋଇପାରେ”। ଆଲୋଚନା ଓ ଚୁକ୍ତିର ଆଶା ସୃଷ୍ଟି ହେବା ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୭ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି।