ଇସଲାମାବାଦ: ବୃଦ୍ଧିପାଉଥିବା ଆର୍ଥିକ ଅବନତି, ମୁଦ୍ରାସ୍ଫୀତି ଏବଂ ବିଶ୍ୱସ୍ତରୀୟ ଇନ୍ଧନ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଶାହବାଜ ସରିଫ୍ ସରକାର କଠିନ ଆର୍ଥିକ ଶୃଙ୍ଖଳା ନୀତି (Austerity Measures) ଘୋଷଣା କରିଛନ୍ତି।
ଦେଶର ଖାଲି ହେଉଥିବା ରାଜକୋଷ ଓ ବର୍ଦ୍ଧିତ ଆର୍ଥିକ ବୋଝକୁ ହ୍ରାସ କରିବା ପାଇଁ ସରକାରୀ ଖର୍ଚ୍ଚରେ ବ୍ୟାପକ କାଣ୍ଟଛାଣ୍ଟ କରାଯିବା ସହ ଅନେକ ଜରୁରୀ କଟକଣା ଲାଗୁ କରାଯାଇଛି।
ନୂତନ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଦେଶରେ ଇନ୍ଧନ ସଞ୍ଚୟ ପାଇଁ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକର ତେଲ ବ୍ୟବହାର କୋଟାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି।
ଏହାବ୍ୟତୀତ ସରକାରୀ ଅଧିକାରୀ ଓ ମନ୍ତ୍ରୀମାନଙ୍କର ସମସ୍ତ ଅନାବଶ୍ୟକ ବିଦେଶ ଗସ୍ତ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଅତ୍ୟାବଶ୍ୟକ ସ୍ଥିତିରେ ବିଦେଶ ଗସ୍ତ କରିବାକୁ ପଡ଼ିଲେ କେବଳ ଇକୋନୋମି କ୍ଲାସ୍ରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆର୍ଥିକ ସଙ୍କଟର ମୁକାବିଲା ପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବିଜୁଳି ଓ ପାଣିର ବ୍ୟବହାରକୁ କଡ଼ାକଡ଼ି ଭାବେ ନିୟନ୍ତ୍ରଣ କରାଯିବା ସହ ବୈଠକଗୁଡ଼ିକୁ ଅଫଲାଇନ୍ ପରିବର୍ତ୍ତେ ଅନଲାଇନ୍ ମୋଡ଼ରେ କରିବାକୁ ପରାମର୍ଶ ଦିଆଯାଇଛି।
ଏଥିସହିତ ବଜାର ଓ ମଲ୍ଗୁଡ଼ିକୁ ରାତି ୯ଟା ସୁଦ୍ଧା ବନ୍ଦ କରିବାକୁ କୁହାଯାଇଛି। ପାକିସ୍ତାନର ଏହି ଅଚାନକ କଠୋର ନିଷ୍ପତ୍ତି ସେହି ଦେଶର ଭୟଙ୍କର ଆର୍ଥିକ ଅସ୍ଥିରତା ଏବଂ ଦେବାଳିଆ ସ୍ଥିତି ଆଡ଼କୁ ଇଙ୍ଗିତ କରୁଛି ବୋଲି ଅର୍ଥନୈତିକ ବିଶ୍ଳେଷକମାନେ ମତପ୍ରକାଶ କରିଛନ୍ତି।