ଭୁବନେଶ୍ଵର: ମାଛମାନେ ସମୁଦ୍ରରେ କେବଳ ପହଁରିଥା’ନ୍ତି ବୋଲି ଯଦି ଆପଣ ଭାବୁଥା’ନ୍ତି, ତେବେ ‘ରେଡ୍-ଲିପ୍ଡ ବ୍ୟାଟଫିସ୍’ ଆପଣଙ୍କ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରିବ। ସତେ ଯେପରି କେହି ଜଣେ ଲିପଷ୍ଟିକ ଲଗାଇ ଦେଇଛି, ସେଭଳି ଚମକଦାର ଲାଲ୍ ରଙ୍ଗର ଓଠ ଏବଂ ଗୋଡ଼ ଭଳି କାମ କରୁଥିବା ପାଦ ବିଶିଷ୍ଟ ଏହି ଅଦ୍ଭୁତ ସାମୁଦ୍ରିକ ଜୀବଟି ବିଶ୍ୱର ସବୁଠାରୁ ରହସ୍ୟମୟ ଏବଂ ଆକର୍ଷଣୀୟ ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ।
ପହଁରିବା ବଦଳରେ ଚାଲିଥାଏ: ବୈଜ୍ଞାନିକ ଭାବେ ‘Ogcocephalus darwini’ ଭାବେ ପରିଚିତ ଏହି ବ୍ୟାଟଫିସ୍ ଗାଲାପାଗୋସ୍ ଦ୍ୱୀପପୁଞ୍ଜ) ଏବଂ ପେରୁ ନିକଟବର୍ତ୍ତୀ ସମୁଦ୍ର ଜଳଭାଗରେ ଦେଖିବାକୁ ମିଳିଥା’ନ୍ତି। ଅଧିକାଂଶ ମାଛଙ୍କ ପରି ଏହା ଭଲ ଭାବେ ପହଁରିପାରେ ନାହିଁ। ବରଂ ଏହାର ସ୍ୱତନ୍ତ୍ର ଭାବେ ଗଠିତ କାତି ସାହାଯ୍ୟରେ ଏହା ସମୁଦ୍ର ପତ୍ତନରେ ‘ଚାଲିବାକୁ’ ପସନ୍ଦ କରିଥାଏ।
ଏହାର ଶରୀରର ରଙ୍ଗ ହାଲୁକା ବାଦାମୀ ଓ ଧୂସର ହୋଇଥିବା ବେଳେ ପେଟ ଅଂଶ ଧଳା ରଙ୍ଗର। ମୁଣ୍ଡରୁ ପିଠି ଦେଇ ଲାଞ୍ଜ ପର୍ଯ୍ୟନ୍ତ ଗାଢ଼ ରଙ୍ଗର ଏକ ଧାରୀ ଦେଖାଯାଏ। ଏହାର ଥୂଥୁନି ଓ ମୁଣ୍ଡ ଉପର ଅଂଶ ମଧ୍ୟ ବାଦାମୀ ରଙ୍ଗର। କିନ୍ତୁ ଏସବୁ ମଧ୍ୟରେ ସବୁଠାରୁ ଅଧିକ ନଜର କାଢ଼େ ଏହାର ଉଜ୍ଜ୍ୱଳ ଲାଲ୍ ଓଠ। ଦୂରରୁ ଦେଖିଲେ ଲାଗେ, ଯେପରି ମାଛଟି ଲାଲ୍ ଲିପଷ୍ଟିକ୍ ଲଗାଇଛି।
ଶିକାର ଧରିବାର ନିଆରା କୌଶଳ: କେବଳ ଦେଖିବାକୁ ଅଜବ ନୁହେଁ, ବରଂ ଏହାର ଶିକାର କରିବାର ଉପାୟ ମଧ୍ୟ ବେଶ୍ ରୋଚକ। ଏହାର ନାକ ଉପରେ ଏକ ସ୍ୱତନ୍ତ୍ର ଅଙ୍ଗ ରହିଥାଏ, ଯାହାକୁ ‘ଇଲିସିୟମ୍’ କୁହାଯାଏ। ଏହା ଏକ ବିଲ୍ଟ-ଇନ୍ ଫିସିଂ ଲୂର ଭାବେ କାମ କରେ, ଯାହା ରାସାୟନିକ ପଦାର୍ଥ ନିର୍ଗତ କରି ଚିଙ୍ଗୁଡ଼ି, କଙ୍କଡ଼ା ଏବଂ ଛୋଟ ମାଛଙ୍କୁ ଆକର୍ଷିତ କରିଥାଏ।
ଏହି ବିରଳ ପ୍ରଜାତିର ମାଛଗୁଡ଼ିକ ସାଧାରଣତଃ ୩ ରୁ ୭୬ ମିଟର ଗଭୀରତାରେ ବାଲୁକାମୟ ସମୁଦ୍ର ତଳଭାଗ ଏବଂ ପ୍ରାଚୀର ମଧ୍ୟରେ ବାସ କରିଥା’ନ୍ତି। ପ୍ରକୃତିର ଏହି ଅଦ୍ଭୁତ ସୃଷ୍ଟି କଳ୍ପନା ଜଗତର କୌଣସି କାହାଣୀଠାରୁ କିଛି କମ୍ ନୁହେଁ।